ଅନୁଗୁଳ/ଢେଙ୍କାନାଳ: ବିଜୟା ଦଶମୀ ଓ ଦେଶର ସର୍ବକନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ସହିଦ ବାଜି ରାଉତଙ୍କ ଜୟନ୍ତୀ ଅବସରରେ ବୁଧବାର ତାଳଚେର ଦେଉଳବେଡା ତେଲିସାହିରେ ମହାନଦୀ କୋଲ ଫିଲ୍ଡ(ଏମସିଏଲ) ଦ୍ୱାରା ହେବାକୁ ଥିବା କମ୍ୟୁନିଟି ସେଣ୍ଟର ପାଇଁ ଭିତ୍ତିପ୍ରସ୍ତର ଓ ମୁଖ୍ୟ ଫାଟକର ଭୂମିପୂଜନ ସହ ଶିଳାନ୍ୟାସ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଏ ଅବସରରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ସାମୁଦାୟିକ କେନ୍ଦ୍ର ତଥା କଲ୍ୟାଣ ମଣ୍ଡପ ନିର୍ମାଣ ହେଲେ ବିବିଧ ପର୍ବ ପର୍ବାଣୀରେ ଏହା ସାଂସ୍କୃତିକ ଓ ଧାର୍ମିକ ଅନୁଷ୍ଠାନ ଭାବେ ସହାୟକ ହେବ ଓ ଗ୍ରାମବାସୀମାନେ ଏହାର ସୁବିଧା ନେଇପାରିବେ। ଏହି କାମକୁ ଶୀଘ୍ର ସାରିବାକୁ ଏମସିଏଲର ଅଧିକାରୀଙ୍କୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି ।
କେନ୍ଦ୍ରମନ୍ତ୍ରୀ ବିଜୟା ଦଶମୀରେ ତାଳଚେର ସାଉଥ ବଲଣ୍ଡା ଏବଂ ଢେଙ୍କାନାଳ ମିନି ଷ୍ଟାଡ଼ିୟମରେ ଆୟୋଜିତ ପୃଥକ ପୃଥକ ରାବଣ ପୋଡ଼ି ମହୋତ୍ସବରେ ସାମିଲ ହୋଇଥିଲେ। ଏହି ଅବସରରେ ଶ୍ରୀ ପ୍ରଧାନ କହିଥିଲେ, ଶକ୍ତି ସ୍ୱରୂପିଣୀ ମା’ ଦୁର୍ଗା ସମାଜରୁ ଅନ୍ୟାୟ, ଅତ୍ୟାଚାର, ବ୍ୟଭିଚାରକୁ ନିଶ୍ଚିହ୍ନ କରିବା ପାଇଁ ପୃଥିବୀ ପୃଷ୍ଠରେ ଅବତୀର୍ଣ୍ଣ ହୋଇଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥ, ମା’ ଦୁର୍ଗା ଓ ମା’ ହିଙ୍ଗୁଳାଙ୍କ ଆଶୀର୍ବାଦରେ ୨୦୪୭ ସୁଦ୍ଧା ଦେଶରେ ଅପାର ସମ୍ଭାବନା ସୃଷ୍ଟି ହେଉ ବୋଲି ଆଶା କରିଛନ୍ତି ମନ୍ତ୍ରୀ।











