ବଡ଼କେରା ଅଞ୍ଚଳର ସବୁ ଅଙ୍ଗନବାଡ଼ିରେ ଅବ୍ୟବସ୍ଥା: ଯେଉଁଠି ରୋଷେଇ, ସେଇଠି ପାଠପଢ଼ା

You are currently viewing ବଡ଼କେରା ଅଞ୍ଚଳର ସବୁ ଅଙ୍ଗନବାଡ଼ିରେ ଅବ୍ୟବସ୍ଥା: ଯେଉଁଠି ରୋଷେଇ, ସେଇଠି ପାଠପଢ଼ା

ଅନୁଗୁଳ: ଅନୁଗୁଳ ବ୍ଲକ ବଡ଼କେରା ଅଞ୍ଚଳରେ ଅସୁସ୍ଥ ହୋଇପଡ଼ିଛି ଅଙ୍ଗନବାଡ଼ି କେନ୍ଦ୍ର। କେନ୍ଦ୍ରର ଭିତ୍ତିଭୂମିର ଉନ୍ନତି ହେଉନାହିଁ। ବଡକେରା ଅଞ୍ଚଳର ବିଭିନ୍ନ ଗାଁରେ ଶିଶୁଙ୍କ ପାଇଁ ୯ ଟି ଅଙ୍ଗନବାଡ଼ି ଖୋଲାଯାଇଛି। କେତେକ ଅଙ୍ଗନବାଡ଼ି କେନ୍ଦ୍ର ଗୁଡିକ ଏବେ ଅବହେଳିତ ଅବସ୍ଥାରେ ପଡ଼ିଛି। ବଡ଼କେରା ପଞ୍ଚାୟତ ଚମ୍ପତିମୁଣ୍ଡା ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ୱ ଗୃହ ନଥିବା ବେଳେ ପିଲାମାନେ ଗାଁ କ୍ଲବ ଘରେ ପାଠ ପଢୁଛନ୍ତି। ଦୀର୍ଘ ୯ ବର୍ଷ ହେଲା ସେଠାରେ ରୋଷେଇ କରିବାର ସୁବିଧା ନଥିବା ବେଳେ କାଠ ଚୁଲିରେ ଶିଶୁଙ୍କ ଖାଦ୍ୟ ତିଆରି ହେଉଛି। ଅଙ୍ଗନବାଡ଼ିର ନିଜସ୍ୱ ଘର ନାହିଁ। ଏଣୁ ଅସନ୍ତୋଷବ୍ୟକ୍ତ କରିଛନ୍ତି ଅଭିଭାବକ।

ସେହିପରି ତୁମୁଣୀ ଅଙ୍ଗନବାଡ଼ି କେନ୍ଦ୍ରରେ ରୋଷେଇ ଘର ନାହିଁ। ସେଠାରେ ଯେଉଁଠି ପାଠ ପଢା ହେଉଛି ସେଇଠି ପିଲାଙ୍କ ପାଇଁ ରୋଷେଇ ହେଉଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଦଳବେହେରା ସାହି ନିକଟରେ ଥିବା ଚଷା ସାହି ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ କୋଠ ଘରେ ଚାଲିଛି। ଅଙ୍ଗନବାଡ଼ି କେନ୍ଦ୍ର ଖୋଲା ରହୁଛି କିନ୍ତୁ ଅଙ୍ଗନବାଡ଼ି କର୍ମୀ ରହୁନାହାନ୍ତି କି ପିଲାବି ରହୁନାହାନ୍ତି। ଉକ୍ତ ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ୱ ଘର ନଥିବା ସ୍ଥଳରେ କୋଠଘରେ ପିଲାମାନଙ୍କୁ ଶିକ୍ଷା ଦିଆଯାଉଛି।

ସାହିର କୌଣସି ସାମୂହିକ କାର୍ଯ୍ୟ ହେଲେ ଏହି କୋଠଘରକୁ ବ୍ୟବହାର କରାଯାଉଥିବାରୁ ଶିକ୍ଷାଦାନରେ ବ୍ୟାହତ ସୃଷ୍ଟି ହେଉଛି। ଅନ୍ୟ ପକ୍ଷରେ କଅଁଳ ବୟସର ଏହି ପିଲାଙ୍କୁ ପାଠ ପଢାଇବା ପାଇଁ ସରକାର ବାର୍ଷିକ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଯୋଜନାର ସଫଳ ରୂପାୟନ ହୋଇପାରୁନାହିଁ।

ଏସମ୍ପର୍କରେ ଅନୁଗୁଳ ସିଡିପିଓ ରୀତାଞ୍ଜଳି ପ୍ରଧାନ କହିଛନ୍ତି, ଆମ ପାଖରେ କିଛି ନାହିଁ ସବୁ ବ୍ଲକ ଜରିଆରେ ଅଛି। ସେହିପରି ଅନୁଗୁଳ ବିଡିଓ ବିଶ୍ଵଭୂଷଣଙ୍କୁ ଯୋଗାଯୋଗ କରିଥିଲୁ କିନ୍ତୁ ଯୋଗାଯୋଗ ହୋଇପାରିନାହିଁ। ଅନ୍ୟପଟେ ପିଲାଙ୍କ ଜୀବନ ପ୍ରତି ବିପଦ ଥିବାରୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ପଞ୍ଚାୟତବାସୀ ଦାବି କରିଛନ୍ତି।

Share

Leave a Reply