ଅନୁଗୁଳ: ଆଜି ପୂର୍ବାହ୍ନରେ ଭୀମଭୋଇ ସାମର୍ଥ୍ୟ ଅଭିଯାନ ଯୋଜନାରେ ଭିନ୍ନକ୍ଷମଙ୍କ ପାଇଁ ଜିଲ୍ଲାସ୍ତରୀୟ ବୃହତ ବଣ୍ଟନ ଶିବିର ସ୍ଥାନୀୟ ଷ୍ଟାଡିୟମରେ ଆୟୋଜିତ ହୋଇଛି। ଅନୁଗୁଳ ବିଧାୟକ ତଥା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି ଶିବିର ଉଦଘାଟନ କରିଥିଲେ। ଜିଲ୍ଲାର ସମସ୍ତ ୮ଟି ବ୍ଲକ୍ ୩ଟି ପୌରପାଳିକା ବିଜ୍ଞାପିତ ଅଞ୍ଚଳ ପରିଷଦର ପାଖାପାଖି ୪ ହଜାର ଭିନ୍ନକ୍ଷମ ବ୍ୟକ୍ତି ଏବଂ ଅଭିଭାବକ ଯୋଗ ଦେଇଥିଲେ। ଶିବିରରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଳିତମୋହନ ବେହେରାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ସମ୍ବଲପୁର ଲୋକସଭା ସାଂସଦଙ୍କ ପ୍ରତିନିଧି ଅଗସ୍ତ ବେହେରା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସନ୍ତୋଷ କୁମାର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ରଜନୀକାନ୍ତ ସ୍ବାଇଁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନ, ଜିଲ୍ଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପଦ୍ମନାଭ ସାମନ୍ତରାୟ ଯୋଗ ଦେଇ ଏହି ଶିବିରର ମହତ୍ବ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏ ଅବସରରେ ଭିନ୍ନକ୍ଷମଙ୍କ ନିମନ୍ତେ ବସ୍ ପାସ୍, ରେଳ ରିହାତି ନିମନ୍ତେ ଡାକ୍ତରଙ୍କ ପ୍ରମାଣ ପତ୍ର, କୃତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ, ମାଗଣା ଲାପଟପ୍, ତିନି ଚକିଆ ସାଇକେଲ, ହୁଇଲ୍ ଚେୟାର, ଆଶା ବାଡି, ବ୍ଲାଇଣ୍ଡ୍ ଷ୍ଟିକ୍, ୱାକିଂ ଷ୍ଟିକ୍, ସି ପି ଚେୟାର, ଏକକ ଭିନ୍ନକ୍ଷମ ପ୍ରମାଣ ପତ୍ର, ମଧୁବାବୁ ପେନସନ୍ ଆଦି ପ୍ରଦାନ କରାଯାଇଥିଲା।
ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନାରାୟଣ ମହାପାତ୍ର ବଣ୍ଟନ କାର୍ଯ୍ୟକ୍ରମରେ ସହାୟତା କରିଥିଲେ। ଡେପୁଟି କଲେକ୍ଟର ମନିଷା ଗୁପ୍ତା ସଭା କାର୍ଯ୍ୟ ପରିଚାଳନା କରିଥିଲେ। ଶେଷରେ ଜିଲ୍ଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଧନ୍ୟବାଦ ଦେଇଥିଲେ।