ଅନୁଗୁଳରେ ଜିଲ୍ଲାସ୍ତରୀୟ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ: ଅହିଂସା ନୀତି ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ

You are currently viewing ଅନୁଗୁଳରେ ଜିଲ୍ଲାସ୍ତରୀୟ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ: ଅହିଂସା ନୀତି ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ

ଅନୁଗୁଳ: ଜାତିର ଜନକ ମହାତ୍ମାଗାନ୍ଧିଙ୍କ ୧୫୫ତମ ଜୟନ୍ତୀ ଓ ଶାନ୍ତିର ଦୂତ ଲାଲବାହାଦୁର ଶାସ୍ତ୍ରୀଙ୍କ ୧୨୦ତମ ଜୟନ୍ତୀ ବୁଧବାର ପୂର୍ବାହ୍ନରେ ସ୍ଥାନୀୟ ଗାନ୍ଧି ପାର୍କ ଠାରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ହେମନ୍ତ କୁମାର ସିଂହ, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ଜନ ପ୍ରତିନିଧି, ଜିଲ୍ଲାସ୍ତରୀୟ ଅଧିକାରୀ, ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ରହି ଉଭୟ ମହାନ ବ୍ୟକ୍ତିତ୍ୱଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ।

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ଅବସରପ୍ରାପ୍ତ ସଭାପତି ଡ.ଧରଣୀଧର ନାଥ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ମହାତ୍ମାଗାନ୍ଧୀଙ୍କ ଅହିଂସା ନୀତି ଆଦର୍ଶର ବିଭିନ୍ନ ଦିଗ ପ୍ରତି ଆଲୋକପାତ କରିଥିଲେ। ଆୟୋଜିତ ସର୍ବଧର୍ମ ପ୍ରାର୍ଥନା ସଭାରେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡଃ. କୁଳମଣି ନାୟକ ଗୀତା ପାଠ କରିଥିବା ବେଳେ ରେଭରେଣ୍ଟ ଯୋଶିୟ କାଉରୀ
ବାଇବେଲ ପାଠ କରିଥିଲେ। ମୌଲାନା ମହମ୍ମଦ ଲିୟାକତ କୋରାନ ପାଠ କରିଥିଲେ।

ଗାନ୍ଧି ଜୟନ୍ତୀ ଉପଲକ୍ଷେ ବିଦ୍ୟାଳୟ ସ୍ତରରେ ଆୟୋଜିତ ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଗାନ୍ଧି ଜୟନ୍ତୀ ଉପଲକ୍ଷେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ପ୍ରତ୍ୟୁଷରେ ସହରରେ ରାମଧୁନ ରେକର୍ଡ ବଜାଯାଇ ସହର ପରିକ୍ରମା କରାଯାଇଥିଲା। ଏଥିରେ ଛାତ୍ରଛାତ୍ରୀମାନେ ପ୍ରଭାତ ଫେରୀ କରିଥିଲେ।

ଅପରାହ୍ନରେ ଗାନ୍ଧୀଙ୍କ ବିଚାର ଓ ଦର୍ଶନକୁ ନେଇ ଜିଲ୍ଲା ପାଠାଗାରରେ ଆୟୋଜିତ ଆଲୋଚନା ଚକ୍ର ଓ କବିତା ପାଠୋତ୍ସବରେ ମୁଖ୍ୟ ଅତିଥି ଭାବେ ଡ.ଧରଣୀଧର ନାଥ, ମୁଖ୍ୟବକ୍ତା ଭାବେ ପ୍ରଫେସର କୁମୁଦ ଚନ୍ଦ୍ର ଦାସ, ସମ୍ମାନିତ ବକ୍ତା ରାଧାକାନ୍ତ ମହାନ୍ତି ଓ ସଂଯୋଜିକା ଡ. ଇନ୍ଦିରା ଦାସ ଯୋଗ ଦେଇ ଗାନ୍ଧିଙ୍କ ଜୀବନୀ, ଅହିଂସା ନୀତି ଓ ଆଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ।

Share

Leave a Reply