ଅନୁଗୁଳ: ମହାନ୍ ଜନନାୟକ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମତିଥି ଅବସରରେ ଆଜି ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ପାଳିତ ହୋଇଯାଇଛି। ଜିଲ୍ଲା ଶିକ୍ଷାଧିକାରୀ ନିରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ଶିକ୍ଷାମଣ୍ଡଳୀ ଅଧୀକ୍ଷକ ପ୍ରସନ୍ନ ପାଣିଗ୍ରାହୀ ଓ ଅନୁଗୁଳ ଜିଲ୍ଲାର ପୂର୍ବତନ ଶିକ୍ଷାଧିକାରୀ ସଚ୍ଚିଦାନନ୍ଦ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିକ୍ଷକମାନଙ୍କୁ ପ୍ରେରଣାଦାୟୀ ବକ୍ତବ୍ୟ ପ୍ରଦାନ କରିଥିଲେ।
କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପ୍ରତିଭା ବାରିକ, ମଧୁସ୍ମିତା ନନ୍ଦ, ଲୋପାମୁଦ୍ରା ପଟ୍ଟନାୟକ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପ୍ରିୟରଞ୍ଜନ ପ୍ରଧାନ ଓ ଗୋଷ୍ଠୀ ଶିକ୍ଷାଧିକାରୀ ଅଶୋକ କୁମାର ପ୍ରଧାନ ଯୋଗଦେଇ ଶିକ୍ଷକମାନଙ୍କୁ ଉତ୍ସାହିତ କରିଥିଲେ।
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଅଧୀନରେ ୨୧ ଜଣ ମାଧ୍ୟମିକ ଶିକ୍ଷକ, ୮ ଜଣ ପ୍ରାଥମିକ ଶିକ୍ଷକ ଓ ୪ ଜଣ ସି.ଆର.ସି.ସି.ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହାସହ ୧୫ ଜଣ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକଙ୍କୁ ଜିଲ୍ଲା ଶିକ୍ଷା ପ୍ରଶାସନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଶେଷ ଭାବେ ଦୁଇ ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ ପ୍ରଶାନ୍ତ ସାହୁ (ସାନ୍ତରାପୁର) ଓ ଦିବାକର ଅମାନ୍ତ (ଅମାନ୍ତପୁର)ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା, ଯେଉଁମାନେ ଅବସର ପରେ ମଧ୍ୟ ଦଶନ୍ଧିରୁ ଅଧିକ ସମୟ ଧରି ବିନା ପାରିଶ୍ରମିକରେ ସ୍ୱେଚ୍ଛାକୃତ ଭାବେ ଶିକ୍ଷାଦାନ ଜାରି ରଖିଛନ୍ତି। ଏହାଛଡ଼ା, ଜିଲ୍ଲାର ୩ ଜଣ ଶିକ୍ଷକ ରାଜ୍ୟସ୍ତରୀୟ ମାଧ୍ୟମିକ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଅମ୍ବୁଜ କୁମାର ଗଡ଼ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପ୍ରତିଭା ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।