ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜନ ଶୁଣାଣି କାର୍ଯ୍ୟକ୍ରମ: ଶତାଧିକ ଅଭିଯୋଗ ଦାଖଲ, ଏକାଧିକର ହେଲା ଫଇସଲା

0

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲାର ବିଭିନ୍ନ ବ୍ଲକରେ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ମହମ୍ମଦ ଅଦାଲ୍ ଅଖତରଙ୍କ ଅଧ୍ୟକ୍ଷତାରେ ଆଠମଲ୍ଲିକ ବ୍ଲକ କାର୍ଯ୍ୟଳୟ ପରିସରରେ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର ଯୋଗ ଦେଇଥିଲେ। ଶିବିରରେ ସମୁଦାୟ ୧୨୯ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୯୮ଟି ବ୍ୟକ୍ତିଗତ ଓ ୩୧ଟି ସାମୂହିକ ଅଭିଯୋଗର ଶୁଣାଣି ହୋଇଥିବା ବେଳେ ୦୭ଟି ଅଭିଯୋଗର ତୁରନ୍ତ ଫଇସଲା କରାଯାଇଥିଲା। ରେଡକ୍ରସରୁ ୩ ଜଣଙ୍କୁ ୧୦ ହଜାର ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଥିଲା।

କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ହେମନ୍ତ କୁମାର ସିଂହ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡ.ଶିବାନନ୍ଦ ମହାନ୍ତିଙ୍କ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ।

ସେହିପରି ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟଠାରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ସମୁଦାୟ ୭୫ଟି ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ ସେଥି ମଧ୍ୟରୁ ୭୨ଟି ବ୍ୟକ୍ତିଗତ ଓ ୩ଟି ସାମୂହିକ ଥିଲା। ଶିବିରରେ ଅନୁଗୁଳ ଉପ-ଜିଲ୍ଲାପାଳ ବରଣ୍ୟନ୍ଦୁ ମହାନ୍ତିଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।

ଆଜି ଜିଲ୍ଲାର ୬ଟି ବ୍ଲକରେ ଗ୍ରାମପଞ୍ଚାୟତ ସ୍ତରରେ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଗୁଳ ବ୍ଲକର କୁମୁରୁସିଂହା ପଞ୍ଚାୟତ, ତାଳଚେର ବ୍ଲକର କଣ୍ଢାଳ ଗ୍ରାମ ପଞ୍ଚାୟତ, ବଅଁରପାଳ ବ୍ଳକର ଗଡସନ୍ତ୍ରୀ ଗ୍ରାମ ପଞ୍ଚାୟତ, ଛେଣ୍ଡିପଦା ବ୍ଲକର କତଡା ଗ୍ରାମ ପଞ୍ଚାୟତ, କିଶୋରନଗର ଆମ୍ବ,ପାଳ ଗ୍ରାମ ପଞ୍ଚାୟତ ଓ ପାଳ ଲହଡାର ନଗିରା ଗ୍ରାମ ପଞ୍ଚାୟତଠାରେ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଶୁଣାଣିରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାରଙ୍କ ସମେତ ବିଭିନ୍ନ ବିଭାଗର ବ୍ଲକ ସ୍ତରୀୟ ଓ ଗ୍ରାମ ପଞ୍ଚାୟତ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.

error: Content is protected !!