ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ସୋମବାର ବଅଁରପାଳ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଶିବିରରେ ଆରକ୍ଷୀ ଅଧୀକ୍ଷକ ରାହୁଳ ଜୈନ ଯୋଗ ଦେଇ ଜନସାଧାରଣଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ସମୁଦାୟ ୩୦ଟି ଅଭିଯୋଗ ମଧ୍ୟରୁ ୨୫ଟି ବ୍ୟକ୍ତିଗତ ଏବଂ ୫ଟି ଗ୍ରାମ୍ୟଭିତ୍ତିକ ସମସ୍ୟା ରହିଥିବା ବେଳେ ପ୍ରଶାସନ ପକ୍ଷରୁ ୩ଟି ଅଭିଯୋଗର ତୁରନ୍ତ ଫଇସଲା କରାଯାଇଥିଲା। ଏଥିସହିତ ଜଣେ ହିତାଧିକାରୀଙ୍କୁ ଚିକିତ୍ସା ସହାୟତା ପାଇଁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଦେବଦତ୍ତ ମହନ୍ତ ଏବଂ ଅନୁଗୁଳ ଉପଜିଲ୍ଲାପାଳ ମାୟାଧର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ବଅଁରପାଳ ବିଡିଓ ଲୋଚନ ଦାସ, ତହସିଲଦାର ସୁଶାନ୍ତ କୁମାର ମିଶ୍ର, ଆସିଷ୍ଟାଣ୍ଟ କଲେକ୍ଟର ସଞ୍ଜୟ କୁମାର ଭୋଇ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞନ ସାହୁଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ଓ ବ୍ଲକ ସ୍ତରୀୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଶିବିରକୁ ଆସିଥିବା ଲୋକମାନେ ମୁଖ୍ୟତଃ ଗ୍ରାମ୍ୟ ସମସ୍ୟା, ସ୍ୱାସ୍ଥ୍ୟ ସେବା, ଗ୍ରାମୀଣ ଆବାସ, ଜମିଜମା ଏବଂ ବ୍ୟକ୍ତିଗତ ସମସ୍ୟା ସମ୍ବନ୍ଧୀୟ ଅଭିଯୋଗ ଦାଖଲ କରିଥିଲେ। ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଏହି ସମସ୍ୟାଗୁଡ଼ିକର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।



