ତାଳଚେର: ଚାକିରି ଦେବା ନାଁରେ ଠକେଇ । ୩ ଲକ୍ଷରୁ ଅଧିକ ଟଙ୍କା ଠକି ନେଇ ଧରାଛୁଆଁ ଦେଉନାହାନ୍ତି । ବରଂ ଟଙ୍କା ମାଗିଲେ ଗାଳିଗୁଲଜ କରୁଥିବା ନେଇ କୋଲିୟରୀ ଥାନାରେ ଏକ ଠକେଇ ମାମଲା ରୁଜୁ ହୋଇଛି । ପୁଲିସ୍ ସୂଚନା ମୁତାବକ, ଅନୁଗୁଳ ସଦର ଥାନା ବେଣାଗାଡ଼ିଆ ଗ୍ରାମର ପ୍ରାଣବନ୍ଧୁ ଜେନାଙ୍କ ପୁଅ ରାଜେଶ ୩ ବର୍ଷ ତଳେ ଚାକିରି ଖୋଜୁଥିଲେ । ଏହି ସମୟରେ ତାଳଚେର ଭରତପୁର କଲିୟରିର ଘନଶ୍ୟାମ ମିଶ୍ର ନାମକ ଜଣେ ବ୍ୟକ୍ତି ତାଙ୍କୁ ଟାଟା ଜାମସେଦପୁରରେ ଚାକିରି କରେଇ ଦେବେ ବୋଲି ଲୋଭ ଦେଖାଇଥିଲେ । ଏଥିପାଇଁ ସାଢ଼େ ୪ ଲକ୍ଷ ଟଙ୍କା ଦେବାକୁ ହେବ ବୋଲି କହିଥିଲେ । ପୁଅର ଚାକିରି ପାଇଁ ପ୍ରାଣବନ୍ଧୁ ସାଢ଼େ ୪ ଲକ୍ଷ ଟଙ୍କା ଦେଇଥିଲେ । ଚାକିରି ନମିଳିଲେ ଟଙ୍କା ଫେରାଇ ଦେବେ ବୋଲି ଚୁକ୍ତି ହୋଇଥିଲା । ମାତ୍ର ଏପର୍ଯ୍ୟନ୍ତ ଚାକିରିର ନାଁ ଗନ୍ଧ ନଥିବା ବେଳେ ଘନଶ୍ୟାମ ଟଙ୍କା ଫେରାଉ ନାହାନ୍ତି । ୩ଟି ପର୍ଯ୍ୟାୟରେ ସେ ୮୦ ହଜାର ଟଙ୍କା ଫେରସ୍ତ କରିଛନ୍ତି । ବଳକା ୩ ଲକ୍ଷ ୭୦ ହଜାର ଟଙ୍କା ଫେରାଇବା ପାଇଁ ଧରାଛୁଆଁ ଦେଉନାହାନ୍ତି । ଏମିତିକି ପ୍ରାଣବନ୍ଧୁ ଟଙ୍କା ମାଗିବାରୁ ଘନଶ୍ୟାମ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରୁ ମାରି ଦେବାକୁ ଗୋଡ଼ାଇଥିବା ସେ କୋଲିୟରୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ୍ ଏ ସଂକ୍ରାନ୍ତରେ ୬୨|୨୧ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।