ଅନୁଗୋଳ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତାଲିମ ଗୃହରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ମଦନ ମୋହନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ବିଶ୍ୱ ଆତ୍ମହତ୍ୟା ପ୍ରତିରୋଧ ଦିବସ ପାଳିତ ହୋଇଛି।
ଏହି ଅବସରରେ ଆୟୋଜିତ ସଚେତନତା ବୈଠକରେ କାର୍ଯ୍ୟବ୍ୟସ୍ତତା ଓ ମାନସିକ ଚାପ ଯୋଗୁଁ ଯୁବପିଢ଼ି ଭୁଲ ନିଷ୍ପତ୍ତି ନ ନେଇ ସୁନ୍ଦର ଜୀବନ ଗଢିବାକୁ ପରାମର୍ଶ ଦିଆଯାଇଥିଲା। ମନସ୍ତତ୍ତ୍ୱବିତ୍ ଡ. ରଶ୍ମିତା ଭଞ୍ଜଦେଓ ମାନସିକ ରୋଗର ଲକ୍ଷଣ ଓ ପ୍ରତିରୋଧ ବିଷୟରେ ବୁଝାଇଥିବା ବେଳେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ଧନଞ୍ଜୟ ବେହେରା ବିଫଳତା ହିଁ ସଫଳତାର ଚାବିକାଠି ବୋଲି କହିଥିଲେ। ସରକାରଙ୍କ ମାଗଣା ପରାମର୍ଶ ସେବା ନେବାକୁ ଆହ୍ୱାନ ଦିଆଯାଇଥିଲା।
ଏହି ବୈଠକରେ ସେବା ଓ ଦିବ୍ୟ ନର୍ସିଂ କଲେଜର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଅତିରିକ୍ତ ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପୁଷ୍ପଲତା ପ୍ରଧାନ ସଂଯୋଜନା କରିଥିଲେ।












