ଛେଣ୍ଡିପଦାରେ ରାଧାନାଥ ରାୟ ଜୟନ୍ତୀ

You are currently viewing ଛେଣ୍ଡିପଦାରେ ରାଧାନାଥ ରାୟ ଜୟନ୍ତୀ

ଅନୁଗୋଳ: ଛେଣ୍ଡିପଦା ସ୍ଥିତ ବାପୁଜୀ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ଵିଭାଗ ଓ ଏଠାକାର ଅଗ୍ରଣୀ ସହିତ୍ୟାନୁଷ୍ଠାନ ସାରସ୍ୱତ ସାହିତ୍ୟ ସଂସଦ ମିଳିତ ସହଯୋଗରେ କବିବର ରାଧାନାଥ ରାୟ ଜୟନ୍ତୀ ପାଳିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଧର୍ମରାଜ ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଉକ୍ତ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ଥାନୀୟ ବିଧାୟକ ଅଗସ୍ତି ବେହେରା କବିବର ରାଧାନାଥ ରାୟଙ୍କୁ ଓଡ଼ିଆ କାବ୍ୟ ସାହିତ୍ୟ ର ନୂତନ ଯୁଗର ପ୍ରବର୍ତ୍ତକ ଭାବେ ଅଭିହିତ କରିଥିଲେ।

ମୁଖ୍ୟବକ୍ତା ଭାବେ ହିନ୍ଦୋଳ କଲେଜ ଖଜୁରିଆ କଟାର ପ୍ରାକ୍ତନ ଅଧ୍ୟକ୍ଷ ତଥା ଓଡ଼ିଆ ପ୍ରାଧ୍ୟାପକ ଡ. ଅସିତ କୁମାର ଜେନାମଣି ଯୋଗ ଦେଇ ତାଙ୍କ ବକ୍ତବ୍ୟରେ ରାଧାନାଥଙ୍କ କାବ୍ୟ ସାହିତ୍ୟରେ ପ୍ରାଚ୍ୟ ଓ ପାଶ୍ଚାତ୍ୟର ଅପୂର୍ବ ସମନ୍ୱୟ ଘଟିଛି ବୋଲି କହିଥିଲେ। କବି ପାଶ୍ଚାତ୍ୟ ସାହିତ୍ୟ ଦ୍ୱାରା ଗଭୀର ଭାବେ ପ୍ରଭାବିତ ହୋଇଥିଲେ ମଧ୍ୟ ତାଙ୍କ କାବ୍ୟ ସାହିତ୍ୟ ରେ ମୌଳିକତା ବଜାୟ ରଖି ଓଡ଼ିଆ ବାଣୀ ଭଣ୍ଡାରକୁ ସମ୍ବୃଦ୍ଧ କରି ଜଣେ ଯୁଗ ସ୍ରଷ୍ଟାର ଯଥାର୍ଥ ଅଧିକାରୀ ହୋଇପାରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ।କଲେଜ ଅଧ୍ୟକ୍ଷ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପକ ପ୍ରିୟବ୍ରତ ସାହୁ “ରାଧାନାଥ ରାୟଙ୍କ କାବ୍ୟରେ ପାଶ୍ଚାତ୍ୟର ପ୍ରଭାବ ଓ ଉତ୍କଳୀୟ ଚେତନା ” ଶୀର୍ଷକ  ପ୍ରବନ୍ଧ ଉପସ୍ଥାପନ କରିଥିଲେ।

ସମ୍ମାନୀୟ ଅତିଥି ତଥା ସାରସ୍ୱତ ସାହିତ୍ୟ ସଂସଦର କାର୍ଯ୍ୟକାରୀ ସଭାପତି ଡକ୍ଟର ଅକ୍ଷୟ କୁମାର ପଣ୍ଡା ରାଧାନାଥଙ୍କ ଅନୁବାଦ କୃତି ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଅଧ୍ୟାପିକା ଉର୍ମିଳା ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଉକ୍ତ କାର୍ଯ୍ୟକ୍ରମରେ କଲେଜର ବହୁ ଯୁକ୍ତ ତିନି ଓ ଯୁକ୍ତ ଦୁଇ ଶ୍ରେଣୀ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ଶେଷରେ ସାହିତ୍ୟ ସଂସଦର ସମ୍ପାଦକ ଡା. ସତ୍ୟନାରାୟଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Share

Leave a Reply