ଅନୁଗୋଳ: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ମହାନଦୀ ଅବବାହିକାରେ ଅବସ୍ଥିତ କୁଦ ଗାଁକୁ ବୋଟରେ ଯାଇ ପ୍ରଶାସନିକ ଅଧିକାରୀମାନେ ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି। ଗତ ରବିବାର ମହାନଦୀରେ ବନ୍ୟା ଆସିବାରୁ କୁଦ ଗାଁବାସୀଙ୍କ ଦୁର୍ଦ୍ଦଶା ବଢିଛି। ଯାତାୟତ ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ବୋଟ ବ୍ୟବସ୍ଥା କରାଯାଇଛି। ଗତକାଲି ଆଇଏଏସ ପ୍ରୋବେସନର ଅଭି ଜୈନ ଓ ଆଠମଲ୍ଲିକ ଉପଜିଲ୍ଲାପାଳ ଉପେନ୍ଦ୍ର ଲୁହା ଗାଁକୁ ଯାଇ ଲୋକଙ୍କ ମୌଳିକ ସମସ୍ୟା ବୁଝିଥିଲେ।
୩୦୦ରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଥିବା ଏହି ଗାଁରେ ପିଇବା ପାଣିର ସୁବିଧା ନାହିଁ, ସ୍କୁଲ-କଲେଜ-ହସ୍ପିଟାଲ-ବ୍ଲକ କାମରେ ବାହାରକୁ ଆସିବାକୁ ଯାତାୟତ ବ୍ୟବସ୍ଥା ନାହିଁ। ବିଜୁଳି ନଥିବାରୁ ସୋଲାର ସିଷ୍ଟମର ବ୍ୟାଟେରୀ ଖରାପ ହୋଇ ଅଚଳ ହୋଇ ପଡିଛି। ଅଧିକାଂଶ ହିତାଧିକାରୀ ବାର୍ଦ୍ଧକ୍ୟ ଭତ୍ତା ଓ ଆବାସ ଯୋଜନାରୁ ବଞ୍ଚିତ ବୋଲି ଗ୍ରାମବାସୀ ଅଭିଯୋଗ କରିଥିଲେ। ବନ୍ୟା ସ୍ଥିତି ସୁଧୁରିବା ପରେ ଗାଁରେ ସ୍ୱତନ୍ତ୍ର କ୍ୟାମ୍ପ କରି ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ଅଧିକାରୀଦ୍ୱୟ ପ୍ରତିଶ୍ରୁତି ଦେଇଛନ୍ତି।












