କୁଷ୍ଠ ରୋଗ ଚିହ୍ନଟ ଅଭିଯାନ ପାଇଁ ସମନ୍ୱୟ କମିଟି ବୈଠକ

You are currently viewing କୁଷ୍ଠ ରୋଗ ଚିହ୍ନଟ ଅଭିଯାନ ପାଇଁ ସମନ୍ୱୟ କମିଟି ବୈଠକ

ଅନୁଗୁଳ: ଚଳିତ ମାସ ୧୮ ତାରିଖରୁ ୩୦ ତାରିଖ ମଧ୍ୟରେ ହେବାକୁ ଥିବା କୁଷ୍ଠ ରୋଗ ଚିହ୍ନଟ ଅଭିଯାନ ନିମନ୍ତେ ଏକ ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟି ବୈଠକ ଜିଲ୍ଲାପାଳ ଅବଦାଲ ମୁହମ୍ମଦ୍ ଅଖତରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଗତକାଲି
ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡ. ଶିବାନନ୍ଦ ମହାନ୍ତି, ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡ. ବିଶ୍ବ ବିହାରି ମହାନ୍ତି, ଜିଲ୍ଲା କୁଷ୍ଠ ରୋଗ କେନ୍ଦ୍ର ପରିଚାଳକ ଡ.ସୂର୍ଯ୍ୟ ନାରାୟଣ ଦତ୍ତ ପ୍ରମୁଖ ଯୋଗ ଦେଇ ଏହି ଅଭିଯାନ ପାଇଁ ସ୍ୱାସ୍ଥ୍ୟ ବିଭାଗ ତରଫରୁ କରାଯାଇଥିବା ପ୍ରସ୍ତୁତି ଓ କାର୍ଯ୍ୟକାରିତା ସମ୍ବନ୍ଧରେ ଉପସ୍ଥାପନା କରିଥିଲେ ।

ସୂଚନା ମୁତାବକ ଚଳିତ ମାସ ୧୮ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ବ୍ଳକରେ (କିଶୋରନଗର ବ୍ୟତିତ ) ଆଶାକର୍ମୀମାନେ ଘରକୁ ଘର ଯାଇ ସମସ୍ତ ଜନସାଧାରଣଙ୍କୁ ପରିକ୍ଷା କରି କୁଷ୍ଠ ରୋଗ ସନ୍ଦେହ ଥିବା ବ୍ୟକ୍ତିମାଙ୍କୁ ଚିହ୍ନଟ କରିବେ ଏବଂ ଚିହ୍ନଟ ହୋଇଥିବା ବ୍ୟକ୍ତିମାଙ୍କୁ ୩ ଦିନ ମଧ୍ୟରେ ଅଭିଜ୍ଞ ଡାକ୍ତରଙ୍କ ଦ୍ବାରା ପରିକ୍ଷା କରାଯାଇ କୁଷ୍ଠ ରୋଗରେ ଆକ୍ରାନ୍ତ ନିଶ୍ଚିତ ହୋଇଥ‌ିବା ବ୍ୟକ୍ତିମାନଂକୁ ଏମଡିଟି (MDT) ଦ୍ବାରା ମାଗଣାରେ ଚିକିତ୍ସା କରାଇବେ ।

ଏହି ଅଭିଯାନରେ ସମ୍ପୃକ୍ତ ସମସ୍ତ ସ୍ବାସ୍ଥ୍ୟ କର୍ମଚାରୀ ଓ ଅଧିକାରୀମାନଂକ କର୍ତ୍ତବ୍ୟ ଓ ଭୂମିକା ସମ୍ବନ୍ଧରେ ପ୍ରଶାକ୍ଷଣ ଦିଆଯାଇଛି । ଗତ ଆର୍ଥିକ ବର୍ଷ ୨୦୨୩-୨୪ ରେ ଜିଲ୍ଲାରେ ୩୩୧ ଜଣ ନୂତନ କୁଷ୍ଠ ରୋଗୀ ଚିହ୍ନଟ ହୋଇଥ‌ିବାବେଳେ ଚଳିତ ଆର୍ଥିକ ବର୍ଷ ( ୨୦୨୪-୨୫) ଅକ୍ଟୋବର ମାସ ସୁଦ୍ଧା ୧୨୬ ଜଣ କୁଷ୍ଠ ରୋଗୀ ଚିହ୍ନଟ ହୋଇଛନ୍ତି । ୨୦୨୭ ମସିହା ସୁଦ୍ଧା ଏକ କୁଷ୍ଠ ମୁକ୍ତ ଭାରତ ଗଠନ ଲକ୍ଷରେ ଏହି ଅଭିଯାନ ଆରମ୍ଭ ହୋଇଛି । ଏହି ବୈଠକରେ ସ୍ୱାସ୍ଥ୍ୟ ବିଭାଗ ସମେତ ପଞ୍ଚାୟତ ରାଜ, ଶିକ୍ଷା, ମହିଳା ଓ ଶିଶୁ, ସାମାଜିକ ସୁରକ୍ଷା ବିଭାଗର ଅଧିକାରୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।

Share

Leave a Reply