ଅନୁଗୁଳ: ଅନୁଗୁଳ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁବାର ଜିଲ୍ଲାସ୍ତରୀୟ କଳା ଉତ୍ସବ ଅନୁଷ୍ଠିତ ହୋଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ ଓ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ସାହୁ କହିଥିଲେ, “ଭାରତୀୟ କଳା ଓ ସଂସ୍କୃତିକୁ ଉଜ୍ଜୀବିତ ରଖିବା ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ। ପିଲାମାନେ କଳା ମାଧ୍ୟମରେ ନିଜେ ଓ ଦେଶକୁ ଗୌରବାନ୍ୱିତ କରନ୍ତୁ।”
ଏଥିରେ ୧୨ଟି ବିଭାଗରେ ୯୦ ଜଣ ଛାତ୍ରଛାତ୍ରୀ, ୨୦ ଜଣ ଗାଇଡ ଶିକ୍ଷକ ଓ ୮ ଜଣ ବିଚାରକ ସମେତ ୧୩୦ ଜଣ ଅଂଶଗ୍ରହଣ କରିଥିଲେ। ସଙ୍ଗୀତ, ନୃତ୍ୟ, ଚିତ୍ରକଳା, ଗଳ୍ପକଥନ ଆଦି ପ୍ରତିଯୋଗିତାରେ ରୋନିତ ମିଶ୍ର, ଚିନ୍ମୟ ସାହୁ, ଭିଶାଶ୍ରୀ ପଣ୍ଡା, ସ୍ୱହମ ସରାଗ, ପୌଲମି ଦାସ, ନୀତିଶ କୁମାର ବେହେରା ପ୍ରମୁଖ ପ୍ରଥମ ସ୍ଥାନ ଅଧିକାର କରି ଜୋନାଲ ସ୍ତରୀୟ କାର୍ଯ୍ୟକ୍ରମ ପାଇଁ ଯୋଗ୍ୟ ହୋଇଛନ୍ତି। ବିଜେତାମାନଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ସମଗ୍ର ଶିକ୍ଷା କାର୍ଯ୍ୟାଳୟର ଜିଲ୍ଲା ଯୋଜନା ସଂଯୋଜକ ଅଶ୍ୱିନୀ ବେହେରା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିବା ବେଳେ ମନୋରଞ୍ଜନ ସାହୁ ମଞ୍ଚ ପରିଚାଳନା କରିଥିଲେ।