ଅନୁଗୁଳ: ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ସ୍ଥାନୀୟ ଜିଲ୍ଲା ଅଦାଲତ ପରିସରରେ ଜିଲ୍ଲାସ୍ତରୀୟ ଲିଗାଲ ଲିଟ୍ରେସି ଫେଷ୍ଟିଭାଲ ୨୦୨୩ ଅନୁଷ୍ଠିତ ହୋଇଛି। ଜିଲ୍ଲା ଓ ଦୌରାଜଜ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲିଗାଲ ଲିଟ୍ରେସି କ୍ଲବର ସଦସ୍ୟଙ୍କ ମଧ୍ୟରେ ଆଇନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରବନ୍ଧ, ବକ୍ତୃତା, ଚିତ୍ରାଙ୍କନ ଓ କ୍ଷୁଦ୍ର ନାଟକ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।
ପ୍ରବନ୍ଧ ପ୍ରତିଯୋଗିତାରେ ଅନୁଗୁଳ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ପ୍ରଜ୍ଞା ପ୍ରଶସିତା ଦାଶ ପ୍ରଥମ ସ୍ଥାନ, ଅନୁଗୁଳ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଅନ୍ଦିତା ହୋତା ଦ୍ୱିତୀୟ ସ୍ଥାନ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଗାନ୍ଧୀମାର୍ଗର ଛାତ୍ରୀ ଆକାଂକ୍ଷା ମିଶ୍ର ତୃତୀୟ ସ୍ଥାନ ଅଧିକାର କରିଛନ୍ତି।
ଚିତ୍ରାଙ୍କନ ପ୍ରତିଯୋଗିତାରେ ବନ୍ତଳା ଉଚ୍ଚ ବିଦ୍ୟାଳୟର ଛାତ୍ର ଆୟୁଷ ଦେହୁରୀ ପ୍ରଥମ ସ୍ଥାନ, ଆଲୁମିନିୟମ ଉଚ୍ଚ ବିଦ୍ୟାଳୟ କୁଲାଡର ଛାତ୍ରୀ ଶ୍ରଦ୍ଧାଞ୍ଜଳି ବେହେରା, ଦ୍ବିତୀୟ ସ୍ଥାନ, ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ନିର୍ଲିପ୍ତା ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ।
ବକ୍ତୃତା ପ୍ରତିଯୋଗିତାରେ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଆଲିଶା ସାହୁ ପ୍ରଥମ ସ୍ଥାନ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଗାନ୍ଧୀମାର୍ଗର ଛାତ୍ରୀ ସୁଲଗ୍ନା ପ୍ରଧାନ ଦ୍ବିତୀୟ ସ୍ଥାନ, ପତିତପାବନ ଉଚ୍ଚ ବିଦ୍ୟାଳୟ ଜରପଡାର ଛାତ୍ର ରୋୟାଲ ରୋଷନ୍ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ସରକାରୀ ଉଚ୍ଚ ବିଦ୍ୟାଳୟ ଖଲାରୀର ଲିଗାଲ ଲିଟ୍ରେସି କ୍ଲବର ସଦସ୍ୟମାନେ “ସୂର୍ଯ୍ୟ ନମସ୍କାର” ନାମକ କ୍ଷୁଦ୍ର ନାଟକ ପ୍ରଦର୍ଶିତ କରିଥିଲେ। ସମସ୍ତ ବିଜେତାଙ୍କୁ ଟ୍ରଫି ସହ ମାନପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ସଚିବ, ଜିଲ୍ଲା ଆଇନସେବା ପ୍ରାଧିକରଣର ସଦସ୍ୟ ପରିଚାଳନା କରିଥିଲେ।