ଅନୁଗୁଳ: ସ୍ଥାନୀୟ ପୁରୁଣା ଜିଲ୍ଲା ଶିକ୍ଷା କାର୍ଯ୍ଯାଳୟ ପରିସରରେ ଜିଲ୍ଲାସ୍ତରୀୟ ପ୍ରବାସୀ ଭାରତୀୟ ଦିବସ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଅମ୍ବୁଜ କୁମାର ଗଡ଼ନାୟକ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭିକାରିବନ୍ଧୁ ସାହୁ, କାର୍ଯ୍ଯକ୍ରମର ସଭାପତି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ପ୍ରତିଭା ବାରିକ ପ୍ରମୁଖ ଉପସ୍ଥିତ ଥିଲେ।
ମୁଖ୍ୟ ଅତିଥି ଶ୍ରୀ ପ୍ରୀତିମୟ ଭାଷଣ ଛଳରେ ଛାତ୍ରଛାତ୍ରୀଙ୍କୁ ଭାରତର ବିକାଶ କ୍ଷେତ୍ରରେ ପ୍ରବାସୀ ଭାରତୀୟଙ୍କ ଅବଦାନ ଅତୁଳନୀୟ, କିଛି ବର୍ଷ ପୂର୍ବେ ପ୍ରବାସୀ ଭାରତୀୟମାନଙ୍କୁ ବ୍ରେନ-ଡ୍ରେନ ବୋଲି କୁହାଯାଉଥିବା ବେଳେ ବର୍ତ୍ତମାନ କିନ୍ତୁ ବ୍ରେନ-ଗେନ ବୋଲି ଅଭିହିତ କରାଯାଉଛି ବୋଲି କହିଥିଲେ।
ଚଳିତ ବର୍ଷ ଓଡ଼ିଶାରେ ଜାନୁଆରୀ ୮ରୁ ୧୦ ପର୍ଯ୍ୟନ୍ତ ଆୟୋଜନ କରିବା ପାଇଁ ସୁଯୋଗ ପାଇଥିବାରୁ ଆମେ ଗର୍ବିତ ଏବଂ ଚଳିତ ପ୍ରବାସୀ ଭାରତୀୟ ଦିବସର ବିଷୟବସ୍ତୁ “ବିକଶିତ ଭାରତ ନିମନ୍ତେ ପ୍ରବାସୀ ଭାରତୀୟଙ୍କ ଅବଦାନ” ସମ୍ପର୍କରେ ଆଲୋକପାତ କରିଥିଲେ।
ଉକ୍ତ କାର୍ଯ୍ଯକ୍ରମ ଅନ୍ତର୍ଗତ ବରିଷ୍ଠ ବର୍ଗ (ଏକାଦଶ ଓ ଦ୍ଵାଦଶ ଶ୍ରେଣୀ) ନିମନ୍ତେ ସାଧାରଣ ଜ୍ଞାନ, ସାଇକେଲ ଚାଳନା, ପୋଷ୍ଟର ମେକିଂ, ମଧ୍ୟମ ବର୍ଗ (ନବମ ଓ ଦଶମ) ଓ କନିଷ୍ଠବର୍ଗ (ଅଷ୍ଟମ ଶ୍ରେଣୀ) ନିମନ୍ତେ ପ୍ରବନ୍ଧ ଲିଖନ ଓ ପୋଷ୍ଟର ମେକିଂ ଆଦି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏଥିନିମନ୍ତେ ଜିଲ୍ଲାରୁ ଛାତ୍ରଛାତ୍ରୀ, ଅଭିଭାବକ ଓ ଗାଇଡ ଶିକ୍ଷକ ସମେତ ସମୁଦାୟ ୧୫୪ ଅଂଶଗ୍ରହଣ କରିଥିଲେ। ଶେଷରେ କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପ୍ରମାଣପତ୍ର ସହିତ ଟ୍ରଫି ପ୍ରଦାନ କରାଯାଇଥିଲା। ଶେଷରେ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଅମ୍ବୁଜ କୁମାର ଗଡନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ଶିକ୍ଷା ବିଜ୍ଞାନ ସଂଯୋଜକ ମନୋରଞ୍ଜନ ସାହୁ ମଞ୍ଚ ପରିଚାଳନା କରିଥିଲେ।