ଅନୁଗୁଳ: ଅନୁଗୁଳ ଜିଲ୍ଲା ସଡ଼କ ସୁରକ୍ଷା କମିଟିର ଏକ ବୈଠକ ବୁଧବାର ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ୍ ଅଖତରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି।
ବୈଠକରେ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ ଯୋଗ ଦେଇଥିଲେ।
ବୈଠକରେ ପରିବହନ ବିଭାଗ ସୂଚନା ଦେଇଥିଲା ଯେ ଗତ ଏପ୍ରିଲ ମାସରେ ଜିଲ୍ଲାରେ ମୋଟ ୨୭ଟି ଦୁର୍ଘଟଣା ଘଟିଥିବାବେଳେ ୧୪ ଜଣଙ୍କର ମୃତ୍ୟୁ ଘଟିଛି ଓ ୮ ଜଣ ଗୁରୁତର ଆହତ, ୫ ଜଣ ସାମାନ୍ୟ ଆହତ ହୋଇଛନ୍ତି। ପରିବହନ ବିଭାଗର ଯାଞ୍ଚ ସମୟରେ ବିନା
ହେଲମେଟରେ ଗାଡି ଚାଳନା ଯୋଗୁ ୬୦୯ ଜଣ, ବିନା ସିଟ୍ ବେଲ୍ଟରେ ୩୫ଜଣ, ଦ୍ରୁତ ଗାଡି ଚାଳନା କରିବା ଯୋଗୁ ୫୩୯ଜଣ, ମଦ୍ୟପାନ କରି ଗାଡିଚାଳନା ନିମନ୍ତେ ୨୧ ଜଣଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି। ସେହିପରି ୪୭୩ ଜଣଙ୍କର ଲାଇସେନ୍ସ ନିଲମ୍ବନ କରାଯାଇଥିଲା ଓ ୨୯ ଟି ଗାଡ଼ି ଜବତ କରାଯାଇଥିଲା। ସେହିପରି ଜିଲ୍ଲା ପୁଲିସ ଦ୍ବାରା ଯାଞ୍ଚ ବେଳେ ଦ୍ରୁତ ଗାଡ଼ି ଚାଳନା ଯୋଗୁ ୭ ଜଣଙ୍କ ଠାରୁ ୨୭ ହଜାର ଟଙ୍କା, ଗାଡ଼ି ଚାଳନା ସମୟରେ ମୋବାଇଲ ବ୍ୟବହାର ଅଭିଯୋଗରେ ୨୮୪ ଟି ମାମଲାରେ ୧୪ ଲକ୍ଷ ୨୦ ହଜାର ଟଙ୍କା, ବିନା ହେଲମେଟରେ ଗାଡ଼ି ଚାଳନା ଯୋଗୁ ୩୦୯୩ ଜଣଙ୍କ ଠାରୁ ୩୦ ଲକ୍ଷ ୯୩ ହଜାର ଟଙ୍କା, ବିନା ସିଟ୍ ବେଲ୍ଟରେ ୨୨୮୮ ଜଣଙ୍କ ଠାରୁ ୨୨ ଲକ୍ଷ ୮୮ ହଜାର ଟଙ୍କା, ଟ୍ରାଫିକ ନିୟମ ଅବମାନନା ଏବଂ ନୋ ପାର୍କିଂ ଜୋନରେ ଗାଡ଼ି ପାର୍କିଂ ଅଭିଯୋଗରେ ୧୭୭୧ ଟି ମାମଲାରେ ୩୨ଲକ୍ଷ ୯୦ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ସେହିପରି ମଦ୍ୟପାନ କରି ଗାଡ଼ିଚାଳନା ନିମନ୍ତେ ୪୭୮ ଟି ମାମଲା ରୁଜୁ କରାଯାଇଛି।
ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ଜିଲ୍ଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପଦ୍ମନାଭ ସାମନ୍ତରାୟ, ଅନୁଗୁଳ ଉପଜିଲ୍ଲାପାଳ ମାୟାଧର ବେହେରା, ଅନୁଗୁଳ ଆଞ୍ଚଳିକ ପରିବହନ ଅଧିକାରୀ ନିଷ୍ଫଳ କୁମାର ପଟ୍ଟନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ, ବରିଷ୍ଠ ସାମ୍ବାଦିକ ସଂଗ୍ରାମ ରଞ୍ଜନ ଦାସଙ୍କ ସମେତ ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀ ଓ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।