ଅନୁଗୁଳ: ସ୍ଥାନୀୟ ଏକ ହୋଟେଲରେ ଚିକିତ୍ସକ ଦିବସ – ୨୦୨୫ ପାଳିତ ହୋଇଯାଇଛି। ଏ ଅବସରରେ ରକ୍ତଦାନ ଶିବିର, ଆଲୋଚନାଚକ୍ର ଆଦି ଆୟୋଜିତ ହୋଇଥିଲା।ଭାରତୀୟ ଚିକିତ୍ସକ ସଂଘ ଅନୁଗୁଳ ଶାଖା ପକ୍ଷରୁ ଆୟୋଜିତ ଏହି ଆଲୋଚନା ଚକ୍ରକୁ ଅନୁଗୁଳ ସିଡିଏମଓ ଡ଼ା ଗୌରୀ ଶଙ୍କର ବଳ ଉଦ୍ଘାଟନ କରିଥିଲେ।
ସାଂପ୍ରତିକ ପରିସ୍ଥିତି ରେ ଡାକ୍ତର ମାନଙ୍କ ଉପରେ ପଡ଼ୁଥିବା କାର୍ଯ୍ୟବ୍ୟସ୍ତତା ଜନିତ ମାନସିକ ଚାପ ଓ ଏହାର ନିରାକରଣ ଉପରେ ଆଲୋକପାତ କରିଥିଲେ।ବୈଠକ ରେ “ବାର୍ଦ୍ଧକ୍ୟରେ ଅସ୍ଥିଶଲ୍ୟ ଚିକିତ୍ସା” ବିଷୟ ଉପରେ ବରିଷ୍ଠ ବିଶେଷଜ୍ଞ ଡାକ୍ତର ମାନେ ନିଜ ନିଜର ମତ ରଖି ଥିଲେ। ବିଶେଷ କରି ୬୫ ବର୍ଷରୁ ଉର୍ଦ୍ଧ୍ବ ରୋଗୀଙ୍କ କ୍ଷେତ୍ରରେ ଅଷ୍ଟିଓପରୋଷିସ, ଅଷ୍ଟିଓଆର୍ଥରାଇଟିସ ତଥା ଶରୀରରେ କ୍ୟାଲସିୟମ ର ଅଭାବ ଜନିତ ସମସ୍ୟା ଓ ଏହାର ସମାଧାନ ଉପରେ ବିଶେଷଜ୍ଞ ମାନେ ଆଲୋଚନା କରିଥିଲେ।ଆଇଏମ୍ଏ ଅନୁଗୁଳ ଶାଖା ସଭାପତି ଡ଼ା ବିଛନ୍ଦ ଚରଣ ପ୍ରଧାନ, ସମ୍ପାଦକ ଡ଼ା ବିଶ୍ୱଜିତ୍ ସାମଲ,ଅର୍ଥ ସମ୍ପାଦକ ଡ଼ା ଟଙ୍କଧର ସିଂହ ପ୍ରମୁଖ ବୈଠକରେ ଉପସ୍ଥିତ ରହି ଚିକିତ୍ସକ ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ।ସମାରୋହରେ ବରିଷ୍ଠ ଡାକ୍ତର ଡ଼ା ପ୍ରଭାତ କୁମାର ପଣ୍ଡା,ଡ଼ା ବେଣୁଧର ଶତପଥୀ ଏବଂ ଡ଼ା ବ୍ରଜେନ୍ଦ୍ର କୁମାର ଦାସ ଙ୍କୁ ଉତ୍ତରୀୟ,ମାନପତ୍ର ଦେଇ ସମ୍ବର୍ଦ୍ଧିତ ଲ କରାଯାଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ଡ଼ା ଏସ ଚୌଧୁରୀ,ଡ଼ା ନୀଳକଣ୍ଠ ସାହୁ,ଡ଼ା ସୁଶାନ୍ତ କୁମାର ଗଡ଼ନାୟକ,ଡ଼ା ଦେବାଶିଷ ପ୍ରଧାନ,ଡ଼ା ଚୈତନ୍ୟ ମାରାଣ୍ଡି, ଡ଼ା ଉମେଶ ଦାସ ଏବଂ ଅନ୍ୟ ବହୁ ଚିକିତ୍ସକ ସମାରୋହରେ ଉପସ୍ଥିତ ଥିଲେ।