ଅନୁଗୁଳ: ଅନୁଗୁଳ ଜିଲ୍ଲା କୋର୍ଟ ପରିସରରେ କ୍ୟାବିନ୍ ଓ ପାଳଲହଡ଼ା ଏସଡିଜିଏମ୍ କୋର୍ଟରେ ଇ – ସେବା କେନ୍ଦ୍ର ସୋମବାର ଉଦଘାଟିତ ହୋଇଯାଇଛି । ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ଡ. ଏସ୍ ମୁରଲୀଧର ଭିଡିଓ କନଫରେନ୍ସି ଜରିଆରେ ଏହାର ଶୁଭାରମ୍ଭ କରିଛନ୍ତି । ଏହି ଶୁଭାରମ୍ଭ ସମୟରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଶତ୍ରୁଘ୍ନ ପୂଜାରୀ, ଡ. ବିଦୁତ୍ ରଂଜନ ଷଡଙ୍ଗୀ, ସଂଜିବ କୁମାର ପାଣିଗ୍ରାହୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ଏହା ମାଧ୍ୟମରେ ଆଇନଜୀବୀ ଓ ଜନସାଧାରଣ ଅନଲାଇନ ପେମେଣ୍ଟ ଓ ଇ-ଫାଇଲିଂ ସୁବିଧାରେ କରିପାରିବେ । ସାଂପ୍ରତିକ କରୋନା ପରିସ୍ଥିତିରେ ଘରେ ବସି ରାଜ୍ୟର ଯେ କୌଣସି କୋର୍ଟରେ କେସ୍ ଆବେଦନ କରିବା ନିମନ୍ତେ ଏହା ସହାୟକ ହେବ ବୋଲି ମୁଖ୍ୟ ଅତିଥି ପ୍ରକାଶ କରିଥିଲେ ।