ତାଳଚେର: ପାନୀୟ ଜଳ ସମସ୍ୟା ନେଇ ତାଳଚେର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଡ଼ଯୋରଡା ଗ୍ରାମର ଲୋକ ବିଜେଡି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟଙ୍କ ଘର ସାମ୍ନାରେ ଧାରଣା ଦେଇଛନ୍ତି। ଏହି ଅଞ୍ଚଳରେ ଦୀର୍ଘ ଦିନରୁ ଜଳ ସମସ୍ୟା ଲାଗି ରହିଛି। ଏଥିରେ ଅତିଷ୍ଠ ହୋଇ ଗ୍ରାମର ଶତାଧିକ ଲୋକେ ଶୁକ୍ରବାର ତାଳଚେର ସହରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଗରା ବାଲଟି ଧରି ଧାରଣାରେ ବସି ରହିଥିଲେ l
ରାଜ୍ୟ ସରକାରଙ୍କ ବସୁଧା ଯୋଜନା ଏଠି ଦିଗହରା ହୋଇଛି ବୋଲି ଗ୍ରାମବାସୀ ମାନେ କହିବା ସହ ପାଣି ପାଇପ ଥିଲେ ମଧ୍ୟ ଠିକ ଭାବରେ ପାଣି ଆସୁନି ବୋଲି ଅଭିଯୋଗ କରିଛନ୍ତି। ପ୍ରତି ୪-୫ ଦିନରେ ଥରେ ପାଣି ଆସୁଛି। ଏନେଇ ବଡଯୋରଡ଼ା ଗ୍ରାମର ସରପଞ୍ଚ, ସମିତିସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟ ଓ ସ୍ଥାନୀୟ ବିଧାୟକ ବ୍ରଜକିଶୋର ପ୍ରଧାନଙ୍କୁ ଜଣାଇବା ପରେ ମଧ୍ୟ କେହି ନ ଶୁଣିବାରୁ ଆଜି ଗାଁ ଲୋକେ ଧାରଣା ଦେଇଥିଲେ।
ତେବେ ନିର୍ବାଚନ ସମୟ ଥିବାରୁ ଧାରଣାସ୍ଥଳକୁ କୌଣସି ନେତା ଆସିନଥିଲେ। ଏଣୁ ଅଞ୍ଚଳବାସୀ ବିରକ୍ତି ପ୍ରକାଶ କରିଥିଲେ। ଏ ସମ୍ପର୍କରେ କୌଣସି ସରକାରୀ ଅଧିକାରୀଙ୍କ ସହ ଯୋଗାଯୋଗ ହୋଇପାରିନାହିଁ।