ଅନୁଗୁଳ: ବକେୟା ବିଲ ପୈଠ ହୋଇ ନଥିବାରୁ ପାନୀୟ ଜଳ ଯୋଗାଣ ବନ୍ଦ। ଗତ ମାର୍ଚ୍ଚ ମାସଠାରୁ ପୈଠ ହୋଇନି ବିଦ୍ୟୁତ ବିଲ। ଫଳରେ ସ୍ଥାନୀୟ ବଡ଼କେରା ଗାଁର ୨୦୦ ପରିବାର ଓ ବଜାରର ୨୫୦ ଦୋକାନୀଙ୍କ ପାଣି ସଂଯୋଗ କାଟି ଦେଇଛି ବିଭାଗ।
ସୂଚନା ଅନୁଯାୟୀ ଅନୁଗୁଳ ବ୍ଲକ ବଡ଼କେରା ଗାଁ ଲୋକ ଗତ ୫ଦିନ ହେବ ପିଇବା ପାଣି ପାଇ ପାରୁ ନାହାନ୍ତି ବୋଲି ଅଭିଯୋଗ ହୋଇଛି। ଗାଁର ୨୦୦ ପରିବାର ଓ ବଡକେରା ବଜାରର ପ୍ରାୟ ୧୫୦ ଦୋକାନୀ ଏନେଇ ଅଭିଯୋଗ କରିଛନ୍ତି।
ଏ ସଂପର୍କରେ ସରପଞ୍ଚ ହାଡିବନ୍ଧୁ ବେହେରା କହିଛନ୍ତି ଗତ ଶନିବାର ପଞ୍ଚାୟତ ପକ୍ଷରୁ ବକେୟା ବିଲ ପୈଠ କରାଯାଇଛି, ବିଦ୍ୟୁତ ସଂଯୋଗ ଖୁବଶୀଘ୍ର ହେଲେ ପାନୀୟ ଜଳ ଯୋଗାଣ ଆରମ୍ଭ ହେବ।
ବଡ଼କେରା ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ପ୍ରଣିତ ଭୂୟାଁ କହିଛନ୍ତି, ବିଲ ପୈଠ ହୋଇ ନଥିବାରୁ ବିଦ୍ୟୁତ କଟା ଯାଇଛି। ପଞ୍ଚାୟତ ପକ୍ଷରୁ ବିଲ ପୈଠ ପାଇଁ ଆଲୋଚ଼ନା ଜାରି ରହିଛି। ତେବେ ତୁରନ୍ତ ପାନୀୟ ଜଳ ଯୋଗାଇ ଦେବାକୁ ବଡ଼କେରା ଗ୍ରାମବାସୀ ଓ ବଜାର ଦୋକାନୀ ମାନେ ଦାବି କରିଛନ୍ତି।
