ନକଲି ଖାଦ୍ୟ ସାମଗ୍ରୀର ପେଣ୍ଠସ୍ଥଳୀ ଅନୁଗୁଳ ନକଲି ଆଳୁ ଚିପ୍‌ସ କାରଖାନା ଠାବ

You are currently viewing ନକଲି ଖାଦ୍ୟ ସାମଗ୍ରୀର ପେଣ୍ଠସ୍ଥଳୀ ଅନୁଗୁଳ  ନକଲି ଆଳୁ  ଚିପ୍‌ସ କାରଖାନା ଠାବ

ଅନୁଗୁଳ: ନକଲି ଖାଦ୍ୟ ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି ଅନୁଗୁଳ। ସହର ଉପକଣ୍ଠ ଭଣ୍ଡୁବରରୁ ଠାବ ହୋଇଛି ନକଲି ଆଳୁ ଚିପ୍‌ସ କାରଖାନା । ମାସେ କି ଦୁଇ ମାସ ନୁହଁ, ପ୍ରଶାସନର ନାକ ତଳେ ଦୀର୍ଘ ୫ ବର୍ଷ ହେଲା ଚାଲିଥିଲା ଏହି ଅବୈଧ କାରଖାନା । ବିଭିନ୍ନ ନାମୀଦାମୀ ବ୍ରାଣ୍ଡେଡ୍ ପ୍ୟାକେଟ୍ ଭିତରେ ଭେଜାଲ୍ ମାଲ୍ ପ୍ୟାକିଂ କରି ବଜାରକୁ ଛଡ଼ା ଯାଉଥିଲା । ଶନିବାର ସନ୍ଧ୍ୟାରେ ଅନୁଗୁଳ ପୁଲିସ୍‌ର ସ୍ପେଶାଲ୍ ସ୍କାଡ୍ ଓ ସଦର ଥାନା ପୁଲିସ୍‌ ମିଳିତ ଭାବେ ଏହି ନକଲି କାରଖାନା ଉପରେ ଚଢ଼ାଉ କରିଥିଲେ। ପୁଲିସ୍ କାରଖାନା ମାଲିକକୁ ଅଟକ ରଖିଛି । କାରଖାନାରୁ ପ୍ରାୟ ୮ଟି କମ୍ପାନିର ପ୍ୟାକେଟ୍, ବିଭିନ୍ନ ରକମର ବେନାମୀ ମସଲା, ଅବଧି ସରିଥିବା ଚକୋଲେଟ୍, ମଶାଧୂପ କାଠି ଜବତ କରାଯାଇଛି ।


ପ୍ରାପ୍ତ ସୂଚନା ମୁତାବକ, ସନ୍ଦୀପ ଗୋଏଲ ନାମକ ଜଣେ ବ୍ୟକ୍ତି ଏହି ଭେଜାଲ୍ କାରବାର ଗତ୫ ବର୍ଷହେଲା ଚଳାଇ ଆସୁଥିଲେ। ବିଭିନ୍ନ ବେନାମୀ କମ୍ପାନିର ପ୍ୟାକେଟରେ ଅସୁରକ୍ଷିତ ଭାବେ ଚିପ୍‌ସ ପ୍ରସ୍ତୁତ କରି ବଜାରକୁ ଛଡ଼ା ଯାଉଥିଲା ।ତାସହିତ ଚକୋଲେଟ୍ ଓ ମଶା ଧୂପକାଠି ମଧ୍ୟ କାରବାର ଚାଲିଥିଲା । ଏନେଇ ପୁଲିସ୍ ବିଶେଷ ସୂତ୍ରରୁ ଖବର ପାଇବା ପରେ ଆଜି ସନ୍ଧ୍ୟାରେ ଅତର୍କିତ ଚଢ଼ାଉ କରିଥିଲା । ଏହି କାରଖାନା ଦେଢ଼ ବର୍ଷ ହେଲା ବନ୍ଦ ଥିବା ମାଲିକ ସନ୍ଦୀପ ଗୋଏଲ୍ କହୁଥିବା ବେଳେ, ଏଠାରୁ ବହୁ ସଦ୍ୟ ପ୍ରସ୍ତୁତ ଚିପ୍‌ସ ଜବତ କରାଯାଇଛି । ନିରାପତ୍ତାକୁ ଆଦୌ ଧ୍ୟାନ ଦିଆଯାଇନଥିବା ବେଳେ ପିଲାଙ୍କ ପାଇଁ ଖାଦ୍ୟ ନାଁରେ ଜହର ପ୍ରସ୍ତୁତି ଚାଲିଥିଲା। ଚଢ଼ାଉରେ ସଦର ଥାନା ଆଇଆଇସି ପ୍ରଭାତ ତ୍ରିପାଠୀ, ସ୍ପେଶାଲ ସ୍କାଡ୍ ଏସ୍ଆଇ ଦୀନକୃଷ୍ଣ ମିଶ୍ର, ସଦର ଥାନା ଏସ୍ଆଇ ପ୍ରକାଶ ମାଝୀଙ୍କ ସମେତ ପୁଲିସ୍ କର୍ମଚାରୀ ସାମିଲ ଥିଲେ।

Share

Leave a Reply