ପଞ୍ଚଭୂତରେ ବିଲୀନ ବିଚ୍ଛନ୍ଦଚରଣ

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ

0

ଅନୁଗୁଳ: ତାଳଚେର ପ୍ରଜାମଣ୍ଡଳ ଆନ୍ଦୋଳନର ଅନ୍ୟତମ କର୍ଣ୍ଣଧାର, ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, କବି, କଣିହାଁ ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ବିଚ୍ଛନ୍ଦଚରଣ ପ୍ରଧାନଙ୍କର ଶନିବାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ ହୋଇଛି। ଜନ୍ମଭୂମି କଣିହାଁବ୍ଲକ କଂସମୁଣ୍ଡା ଗାଁ’ଠାରୁ ୧୫ କି.ମି. ଦୂର ବିଜିଗୋଳ ମା’ ଭୈରବୀଙ୍କ ପୀଠରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ବିଚ୍ଛନ୍ଦଚରଣଙ୍କ ଅନ୍ତିମ ଇଚ୍ଛା ଅନୁସାରେ ମା’ ଭୈରବୀଙ୍କ ପୀଠରେ ଶେଷକୃତ୍ୟ ସଂପନ୍ନ କରାଯାଇଥିବା ତାଙ୍କ ପରିବାର ସୂତ୍ରରୁ ଜଣାପଡ଼ିଛି। ଶୁକ୍ରବାର ଅପରାହ୍ନ ସାଢ଼େଟା ବେଳେ କଂସମୁଣ୍ଡା ବାସଭବନରେ ତାଙ୍କର ଦେହାନ୍ତ ଘଟିଥିଲା । ଶବ ଶୋଭାଯାତ୍ରାର ବିଭିନ୍ନ ସ୍ଥାନରେ ବହୁ ବିଶିଷ୍ଟ ବ୍ୟକ୍ତି, ବିଭିନ୍ନ ଅନୁଷ୍ଠାନ ତାଙ୍କୁ ଅଶୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ମରଶରୀର କଂସମୁଣ୍ଡା ଗାଁ ପରିକ୍ରମା ପରେ କଣିହାଁ କଲେଜକୁ ନିଆଯାଇଥିଲା। କଲେଜ ପକ୍ଷରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ସେଠାରୁ କଣିହାଁ ଗାଁ ଦେଇ ପୁରୁଣା ହାଟପଡ଼ିଆରେ ଶୋଭାଯାତ୍ରା ପହଞ୍ଚିବା ପରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ କଣିହାଁ ଗ୍ରାମବାସୀ, ବିଭିନ୍ନ ଅନୁଷ୍ଠାନ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। କଣିହାଁ ପବିତ୍ର ମୋହନ ହାଇସ୍କୁଲ୍, କଣିହାଁ ପ୍ରଜାମଣ୍ଡଳ ଟ୍ରଷ୍ଟ, ବଜାର କମିଟି, କଣିହାଁ ବ୍ଲକ୍, ତହସିଲ କାର୍ଯ୍ୟାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ସେହିପରି ପଥରମୁଣ୍ଡା, ଲୋଧାବନ୍ଧ, ଭୀମକାଣ୍ଡ, ବିଜିଗୋଳ ଗ୍ରାମବାସୀ, ଏନ୍‌ଟିପିସି ବଣିକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏନ୍‌ଟିପିସି ମୁଖ୍ୟ ଫାଟକ ସମ୍ମୁଖ ସହିଦସ୍ତମ୍ଭ ନିକଟରେ ବିଚ୍ଛନ୍ଦଚରଣଙ୍କୁ ଶହ ଶହ ଲୋକ ଶ୍ରଦ୍ଧାଞ୍ଜଳି ଦେଇଥିଲେ। କଂସମୁଣ୍ଡାଠାରୁ ବିଜିଗୋଳ ଭୈରବୀ ପୀଠ ପର୍ଯ୍ୟନ୍ତ ରାସ୍ତାରେ ଅନ୍ତିମ ଦର୍ଶନ ପାଇଁ ଅପେକ୍ଷା କରିଥିବା ଶହ ଶହ ଲୋକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ବିଭିନ୍ନ ଗାଁର ସଂକୀର୍ତ୍ତନମଣ୍ଡଳୀ ଶବାଧାର ଆଗରେ ନାମ ସଂକୀର୍ତ୍ତନ କରି ଚାଲିଥିଲେ।

ବିଚ୍ଛନ୍ଦଚରଣ ଅମର ରହେ…’ ଧ୍ବନିରେ ଗଗନ ପବନ ମୁଖରିତ ହୋଇଥିଲା। ଡେରେଙ୍ଗ ଜେଆଇଟିପିଏଲ୍ ମହାପ୍ରବନ୍ଧକ ସୁରେଶ ବଂଶଲ, ଏନ୍‌ଟିପିସି ଜିଜିଏମ୍ ସୁଦୀପ ନାଗ, ଆଇଏନଟିୟୁସି ସାଧାରଣ ସମ୍ପାଦକ ସତ୍ୟାନନ୍ଦ ସାହୁ, ଏନ୍‌ଟିପିସି ବଜାର କମିଟି ସଭାପତି ଶଶାଙ୍କ ପାଣିଙ୍କ ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ଗାର୍ଡ ଅଫ୍ ଅନର୍ ସହିତ ଶେଷକୃତ୍ୟ ସଂପନ୍ନ ହୋଇଥିଲା। ବିଚ୍ଛନ୍ଦଚରଣଙ୍କ ଅନ୍ତିମ ଶୋଭାଯାତ୍ରାରେ ଉପବାଚସ୍ପତି ରଜନୀକାନ୍ତ ସିଂହ, ସାଂସଦ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ପାଳଲହଡ଼ା ବିଧାୟକ ମୁକେଶ ପାଳ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ତାଳଚେର ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ, ଓକିଲ ସଂଘ ସଭାପତି ଛବି ସାହୁ, ଏସ୍‌ଡିପିଓ ନୀତେଶ ୱାଧନୀ, କଣିହାଁ ବିଡ଼ିଓ ରମେଶ ଜେନା, ତହସିଲଦାର ପତିତପାବନ ଦେବତା, କଣିହାଁ ପଞ୍ଚାୟତ ସମିତି ଅଧ୍ୟକ୍ଷା ନମିତା ସାହୁ, ଉପାଧ୍ୟକ୍ଷ ତ୍ରିପୁରାରି ପ୍ରଧାନ, ବିଜେପି ନେତା ଅଶୋକ ମହାନ୍ତି, କାଳନ୍ଦୀ ସାମଲ, କଂଗ୍ରେସ ନେତା ଫକିର ସାମଲ, ବ୍ଲକ ବିଜେଡି ସଭାପତି କୈଳାସ ସାହୁ ପ୍ରମୁଖ ବହୁ ଲୋକପ୍ରତିନିଧି, ଜନସାଧାରଣ ଯୋଗ ଦେଇଥିଲେ।

Leave A Reply

Your email address will not be published.

error: Content is protected !!