ଅନୁଗୁଳ: ୨୦୧୯ ମସିହାରେ ଯେଉଁ ମାୟା ନଗରୀ ଅପେରା ଅନୁଗୁଳ ଜିଲ୍ଲାରେ ଆତ୍ମପ୍ରକାଶ କରି ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା,ଡବଲ ଷ୍ଟେଜରେ ଡବଲ ସୋ କରି ଦର୍ଶକଙ୍କ ଅଜସ୍ର କରତାଳି ସାଉଁଟି ଥିଲା ସେଇ ଅପେରା ଆଜି ଚାରି ବର୍ଷରେ ମଝି ନଈରେ ଡୁବି ବାକୁ ବସି ଥିବାବେଳେ ବିବାଦ ଓ ଆର୍ଥିକ ଅନିୟମିତତା ହେତୁ ମାମଲା ଏବେ ଥାନାରେ ପହଞ୍ଚିଛି । ଏଥିନେଇ କିଛି ସୂଚନା ମିଳିବାପରେ ଆମେ ଯୋଗାଯୋଗ କରିଥିଲୁ ଅପେରା ହାଉସର ମୁଖ୍ୟ ସତ୍ୟାନନ୍ଦ ଦଳବେହେରାଙ୍କୁ, ସେ କହିଲେ ୨୦୧୯ରେ ତ୍ରିନାଥ ଗଣନାଟ୍ୟକୁ କିଣି ଏହାର ନବକଳେବର କରି ମାୟା ନଗରୀ ଗଣନାଟ୍ୟ ଆରମ୍ଭ କରାଯାଇଥିଲା। ଅପେରା ହାଉସ ଭଲ ଚାଲୁଥିବା ବେଳେ କରୋନା ଯୋଗୁଁ କିଛି ଦିନ ବନ୍ଦ୍ ରହି ପୁଣି ଚାଲୁ କରାଯାଇଥିଲା। ତେବେ ୨୦୨୧ରେ ମୁଁ ଏହାକୁ ଜେନା ବାବୁ ନାମକ ଜନୈକ ବ୍ୟକ୍ତିଙ୍କୁ ମାସିକିଆ ଭଡ଼ା ସୂତ୍ରରେ ଚୁକ୍ତି କରି ଦେଇ ଦେଇଥିଲି। କିନ୍ତୁ ହଠାତ୍ ଖବର ମିଳିଲା ବାବୁ ବିଭିନ୍ନ ଜାଗାରୁ ସୋ ପାଇଁ ଅଗ୍ରୀମ ଟଙ୍କା ଆଣି ସେମାନଙ୍କୁ ଆଉ ଧରା ଛୁଆଁ ଦେଉନାହାନ୍ତି। ଫଳରେ ମୋ ପାଖକୁ ବାରମ୍ବାର ଏଇଭଳି ଫୋନ୍ ଆସିବା ସହ କିଛି ସଂସ୍ଥା ମଧ୍ୟ ମୋର ଅପେରା ଗାଡ଼ିକୁ
ଅପହରଣ କରି ନେଇଗଲେ। ଚୁକ୍ତି କରି ନେଇଥିବା ବାବୁ ସେତେବେଳକୁ ଆଉ ଧରାଛୁଆଁ ନଦେଇ ଫେରାର ହୋଇଗଲେ।ଅନ୍ୟପକ୍ଷରେ ପାର୍ଟିର କଳାକାର ମାନେ ମୋତେ ଅଭିଯୋଗ କଲେ। ତେଣୁ ମୁଁ ବାଧ୍ୟ ହୋଇ ବାବୁ ଶ୍ରୀ ଜେନାଙ୍କ ବିରୁଦ୍ଧରେ ଚୁକ୍ତି ମୁତାବକ ମୋର ଅର୍ଥ ନଦେବା, ଆର୍ଥିକ ଗଣ୍ଡଗୋଳ ସୃଷ୍ଟି କରିବା ଅଭିଯୋଗରେ ଥାନାରେ ଏତଲା ଦେଇଛି। ଅନ୍ୟପକ୍ଷରେ ସମସ୍ତ ଆର୍ଥିକ ଅସଙ୍ଗତିକୁ ଦୂର କରି ଅନ୍ୟ ଜଣେ ଯୋଗ୍ୟ ବ୍ୟକ୍ତିଙ୍କୁ ଅପେରା ହସ୍ତାନ୍ତର କରି ମୁ ପୁଣି ଏହି ଅପେରା ହାଉସକୁ ଚଳାଇବାକୁ ଉଦ୍ୟମ ଜାରି ରଖିଛି।
ମଝି ନଈରେ ଅପେରା ସମ୍ରାଟ ମାୟା ନଗରୀ: ବିବାଦ ଯୋଗୁଁ ଥାନାରେ ମାମଲା
