ଅନୁଗୁଳ: ଅନୁଗୁଳ ସହରରେ ଦୁର୍ଗାପୂଜା ଓ ଲକ୍ଷ୍ମୀ ପୂଜାକୁ ବ୍ୟବସ୍ଥିତ ତଥା ଶାନ୍ତି ଶୃଙ୍ଖଳା ସହ ପାଳନ କରିବା ନିମନ୍ତେ ଶୁକ୍ରବାର ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି। ପୂଜାକୁ ସଫଳତାର ସହ ପାଳନ କରିବା ନିମନ୍ତେ ପୋଲିସ ପ୍ରଶାସନ, କେନ୍ଦ୍ରୀୟ ପୂଜା କମିଟି ଓ ବିଭିନ୍ନ ପୂଜା କମିଟି ଆନ୍ତରିକତାର ସହିତ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବାକୁ ଅତିରିକ୍ତ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।
ଆସନ୍ତା ମାସ ୨୦ ତାରିଖ ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ଦୁର୍ଗାପୂଜା ଆରମ୍ଭ ହୋଇ ୨୫ ତାରିଖରେ ଭସାଣ ଉତ୍ସବ ଅନୁଷ୍ଠିତ ହେବ। ସେହିପରି ଆସନ୍ତା ମାସ ୨୮ ତାରିଖରୁ ଲକ୍ଷ୍ମୀ ପୂଜା ଆରମ୍ଭ ହୋଇ ନଭେମ୍ବର ୮ ରେ ଭସାଣ ଉତ୍ସବ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ହୋଇଛି। ଚଳିତ ବର୍ଷ ବଳ ପୂର୍ବକ ଚାନ୍ଦା ଆଦାୟ ନ କରିବା ନିମନ୍ତେ ମତ ପ୍ରକାଶ ପାଇଛି। ଏଥିସହ ଶବ୍ଦ ପ୍ରଦୂଷଣକୁ ଦୃଷ୍ଟିରେ ରଖି ବାଣ ଓ ଡିଜେ ସାଉଣ୍ଡକୁ ନିଷେଧ କରାଯାଇଛି। ପୂଜା ସମୟରେ ଟ୍ରାଫିକ ନିୟନ୍ତ୍ରଣ, ପାର୍କିଂ ବ୍ୟବସ୍ଥା ଓ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଆରକ୍ଷୀ ଅଧୀକ୍ଷକଙ୍କୁ ଅନୁରୋଧ କରାଯାଇଛି। ପୂଜା ସମୟରେ ୨ ଚକିଆ ଗାଡ଼ି ଓ ଚାରି ଚକିଆ ଗାଡ଼ି ପାର୍କିଂ କରିବା ନିମନ୍ତେ ଆବଶ୍ୟକ ଷ୍ଟାଣ୍ଡ ପୌରପାଳିକା ତରଫରୁ କରାଯିବ। ହେମସୁରପଡା ଦୁର୍ଗାପୂଜା କମିଟି ଦ୍ବାରା ରାବଣପୋଡି ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ହୋଇଛି।
ବୈଠକରେ ଆସିଷ୍ଟାଣ୍ଟ କଲେକ୍ଟର ମଧୁସ୍ମିତା ବିଶି, ଅନୁଗୁଳ ପୌରାଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ, ଜିଲ୍ଲାସ୍ତରୀୟ ଅଧିକାରୀ, ପୂଜା କମିଟିର କର୍ମକର୍ତ୍ତା ଉପସ୍ଥିତ ଥିଲେ।