ଅନୁଗୁଳ: ବିଭିନ୍ନ ଦାବିରେ ବୁଧବାର ଏ.ଆଇ.ଡି.ଓ୍ବାଇ.ଓ. ଅନୁଗୁଳ ଜିଲ୍ଲା କମିଟି ଉଦ୍ୟୋଗ ପକ୍ଷରୁ ଅନୁଗୁଳ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିକ୍ଷୋଭକାରୀମାନେ ସ୍ଥାନୀୟ ଗୋପବନ୍ଧୁ ପାର୍କଠାରୁ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରି ବିକ୍ଷୋଭସ୍ଥଳରେ ପହଞ୍ଚି ଥିଲେ। ସଂଗଠନର ଜିଲ୍ଲା ସମ୍ପାଦକ କୈଳାସ ଚନ୍ଦ୍ର ସାହୁଙ୍କ ଆବାହକତ୍ୱରେ ଆୟୋଜିତ ସଭାରେ ଡି.ଓ୍ବାଇ.ଓ. ରାଜ୍ୟ ସଭାପତି ମାନସ ପାଳ ଯୋଗଦେଇ ଡବଲ ଇଞ୍ଜିନ୍ ସରକାର, କେନ୍ଦ୍ର ଓ ରାଜ୍ୟର ବିଭିନ୍ନ ବିଭାଗରେ ଖାଲି ପଡିଥିବା ପଦବୀ ପୂରଣ କରିବା ସହିତ ଅନୁଗୁଳ ଜିଲ୍ଲାରେ ପ୍ରତିଷ୍ଠିତ ହୋଇଥିବା ଖଣି, କାରଖାନାଗୁଡିକରେ କ୍ଷତିଗ୍ରସ୍ତ ଓ ବିସ୍ଥାପିତ ପରିବାର ସମେତ ଜିଲ୍ଲାର ବେକାର ଯୁବକ-ଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବାକୁ ଦାବି କରିଥିଲେ।
ତାଙ୍କ ଦାବିଗୁଡ଼ିକ ହେଉଛି, ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ସମସ୍ତ ବିଭାଗରେ ଦୀର୍ଘ ବର୍ଷ ଧରି ଖାଲି ପଦବୀ ଗୁଡିକ ପୂରଣ କରିବା, ଟେଲିକମ୍ କମ୍ପାନୀ ଗୁଡିକର ଲଗାମଛଡା ତାରିଫ୍ ବୃଦ୍ଧି ବନ୍ଦ କରିବା ଏବଂ ଇନ୍କମିଂ କଲ୍ ସମ୍ପୂର୍ଣ୍ଣ ଦେୟମୁକ୍ତ କରିବାସହ ସର୍ବସାଧାରଣ ଛାତ୍ର, ଯୁବକଙ୍କୁ ସୁଲଭ ଦରରେ ମାସିକ କମ୍ବୋ ପ୍ୟାକ୍ ଧାର୍ଯ୍ୟ କରିବା, ଫ୍ରି-ପେଡ୍ ସ୍ମାର୍ଟ ମିଟର ଲଗାଇବା ନିଷ୍ପତ୍ତି ବାତିଲ କରିବା ଆଦି ରହିଛି।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ନିରଞ୍ଜନ ନାୟକ, ଭରତ ନାଏକ, ଜ୍ୟୋତ୍ସ୍ନା ସାମଲ, ମଳୟ ବେହେରା, ଦୁଃଖବନ୍ଧୁ ବେହେରା, ଲମ୍ବୋଦର ପଣ୍ଡା, ଆଶିଷ ସାହୁ, ସୋରେନ୍ ସାହୁ, ସତ୍ୟରଞ୍ଜନ ସାହୁ, ଅରୁଣ ସାହୁ ପ୍ରମୁଖଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତା ସାମିଲ ହୋଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ।