ବିଦ୍ୟୁତ କର୍ମଚାରୀଙ୍କୁ ମାଡ଼ ମାରିଥିବା ଅଭିଯୁକ୍ତଙ୍କୁ ଗିରଫ ଦାବି, କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ

You are currently viewing ବିଦ୍ୟୁତ କର୍ମଚାରୀଙ୍କୁ ମାଡ଼ ମାରିଥିବା ଅଭିଯୁକ୍ତଙ୍କୁ ଗିରଫ ଦାବି, କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ

ତାଳଚେର : ଚାଇଁପାଳ ବିଦ୍ୟୁତ ଡିଭିଜନ ଦ୍ୱାରା ଆୟୋଜିତ ମେଗା ବିଦ୍ୟୁତ ଚୋରି ରୋକିବା ଅଭିଯାନରେ ସାମିଲ ବିଦ୍ୟୁତ କର୍ମଚାରୀଙ୍କୁ ବିକ୍ରମପୁର ଥାନା ଅନ୍ତର୍ଗତ ଗୋବରା ଗ୍ରାମର ଶିଖପାଳ ସାହିର ଉପଭୋକ୍ତାଙ୍କ ଦ୍ୱାରା ମାଡ଼ ମରା ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କରିଛି ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘ।

ମହାସଂଘ ତରଫରୁ ଆଜି ଠାରୁ ସାରା ଚାଇଁପାଳ ବିଦ୍ୟୁତ ଡିଭିଜନରେ କାର୍ଯ୍ୟରତ ସମସ୍ତ ଶ୍ରମିକ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି । ତେବେ ଘଟଣାକୁ ଏତେଦିନ ବିତି ଯାଇଥିଲେ ସୁଦ୍ଧା ବିଦ୍ୟୁତ କର୍ମଚାରୀଙ୍କୁ ମାଡ଼ ମାରିବାସହ ଗାଳି ଗୁଲଜ କରିବା ଘଟଣାରେ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବାର ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘ ଅଭିଯୋଗ କରିଛି।

ସୂଚନା ଅନୁସାରେ, ଗତ ୨୦ ତାରିଖରେ ତାଳଚେର ଇଲେକ୍ଟ୍ରି ଡିଭିଜନ ଅନ୍ତର୍ଗତ ଟିପିସିଓଡିଏଲର ସାଉଥବଲଣ୍ଡା ସେକ୍ସନର ଜୁନିୟର ମ୍ୟାନେଜର ଶୁଭେନ୍ଦୁ ଦାସ ୩ ଜଣ କର୍ମଚାରୀଙ୍କ ସହ ବିକ୍ରମପୁର ଥାନା ଅନ୍ତର୍ଗତ ଗୋବରା ଗାଁର ଶିଖପାଳ ସାହିକୁ ବିଦ୍ୟୁତ ଚୋରି ସମ୍ପର୍କରେ ନିରୀକ୍ଷଣ କରିବାକୁ ଯାଇଥିଲେ । ସେଠାରେ ବାବୁଲା ପ୍ରଧାନ ନାମକ ବ୍ୟକ୍ତି ନିକଟସ୍ଥ ବିଦ୍ୟୁତ ଖୁଣ୍ଟରୁ ବେଆଇନ ଭାବେ ହୁକ ପକାଇ ବିଜୁଳି ସଂଯୋଗ ନେଇଥିବା ଦେଖିବାକୁ ପାଇଥିଲେ। ବାବୁଲା ପ୍ରଧାନ ଏହା ଜାଣିବାପରେ ହଠାତ ତାଙ୍କ ପିତା ଶୁକଦେବ ପ୍ରଧାନଙ୍କ ସହ ସେଠାରେ ପହଞ୍ଚି ଶୁଭେନ୍ଦୁ ଦାସ ଓ ତାଙ୍କ ଟିମ୍ ଉପରେ ଆକ୍ରମଣ କରିଥିଲେ । ସମସ୍ତଙ୍କୁ ତଳେ ପକାଇ ବିଧା ଗୋଇଠା ମାରି ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ଏଥିସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ଅଫିସର ପିଭିଆର ବହିକୁ ନେଇ ଯିବା ସହ ଗ୍ରାମ ଚଉପାଦିକୁ ନେଇ ସେଠାରେ ୩୦ ମିନିଟ ଅଟକ ରଖିଥିଲେ । ପୋଲିସ ପହଞ୍ଚି ସେମାନଙ୍କୁ ମୁକ୍ତ କରାଇଥିଲା। ଏହି ଘଟଣାରେ ଅଭିଯୁକ୍ତଙ୍କ ପ୍ରତି ପୋଲିସ ପ୍ରଶାସନର ନିଷ୍କ୍ରିୟତା ପ୍ରତିବାଦରେ ଚାଇଁପାଳ ବିଦ୍ୟୁତ ଡିଭିଜନରେ କର୍ମଚାରୀ ଅସନ୍ତୋଷ ଦେଖାଦେଇଛି।

ଏହାର ପ୍ରତିବାଦରେ ଚାଇଁପାଳ ଡିଭିଜନ ଅଧୀନରେ ଥିବା ତାଳଚେର, ହାଟତୋଟା, ଚାଇଁପାଳ, ବଅଁରପାଳ, ମେରାମୁଣ୍ଡଳୀ, କଣିହାଁ, ରେଙ୍ଗାଳୀ, ସମଲ, ପରାବିଲ, ଖମାର, ପାଳଲହଡ଼ା, ପରଜଙ୍ଗ ସମେତ ୧୩ଟି ସେକ୍ସନର ଶ୍ରମିକ, କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରା ନ ଗଲେ ଆଗାମୀ ଦିନରେ ଅସୁବିଧା ହେବ ବୋଲି ଡିଭିଜନ ସଂପାଦକ ବିକାଶ ସାହୁ ଚେତାବନୀ ଦେଇଛନ୍ତି।

Share

Leave a Reply