ଅନୁଗୁଳ: ହାତୀ ଆକ୍ରମଣରେ ପୁଣି ଗଲା ଜଣେ ଚାଷୀଙ୍କ ଜୀବନ। ମୃତ ଚାଷୀ ହେଲେ ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ବସଲା ପଞ୍ଚାୟତ ସୁନାଭୂଇଁ ଗାଁର ଦିବାକର ସାହୁ(୬୯)। ସେ ଆଜି ସକାଳେ ଘର ନିକଟରେ ଥିବା ଜମିକୁ ଯାଇଥିଲା ବେଳେ ହାତୀପଲ ହାବୁଡ଼ରେ ପଡ଼ିଥିଲେ। ହାତୀ ତାଙ୍କୁ କଚାଡ଼ି ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି। ତେବେ ହାତୀ ଆକ୍ରମଣରେ ବସଲା ପଞ୍ଚାୟତରୁ ମାସକରେ ଏହା ଦ୍ଵିତୀୟ ମୃତ୍ୟୁ। ଏଣୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।
ଖବର ପାଇ ପୋଲିସ ଓ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ମୃତ ବ୍ୟକ୍ତିଙ୍କ ପରିବାରକୁ ସରକାରୀ ନିୟମ ଅନୁସାରେ କ୍ଷତିପୂରଣ ଦିଆଯିବ ବୋଲି ସେମାନେ ପ୍ରତିଶ୍ରୁତି ଦେବା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ନିଆଯାଇଥିଲା। ଅପରାହ୍ନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି।