ଅନୁଗୁଳ: ଅନୁଗୁଳର ସାତକୋଶିଆରେ ପକ୍ଷୀ ଗଣନା କାର୍ଯ୍ୟ ମଙ୍ଗଳବାର ଶେଷ ହୋଇଛି। ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ସମେତ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ, ଆଠମଲ୍ଲିକ ବନଖଣ୍ଡ ଓ ଆଠଗଡ଼ ବନଖଣ୍ଡରେ ଥିବା ମହାନଦୀ ଓ ଜଳାଶୟଗୁଡିକରେ ବନ ବିଭାଗ ପକ୍ଷରୁ ପକ୍ଷୀ ଗଣନା କାର୍ଯ୍ୟ ହୋଇଥିଲା। ଏହି କାର୍ଯ୍ୟକ୍ରମ ଗୋଟିଏ ଦିନ ହୋଇଥିଲା। ଏଥିରେ ତାଲିମପ୍ରାପ୍ତ ବନ କର୍ମଚାରୀମାନେ ଅଂଶ ଗ୍ରହଣ କରିଥିଲେ। ଏଥିପାଇଁ ମୋଟ୍ ୧୫ଟି ଟିମ୍ ଗଠନ ହୋଇଥିଲା।
ଗୋଟିଏ ଦିନରେ ମହାନଦୀ ଗଣ୍ଡରେ ୨୨କିମି ସହ ସମସ୍ତ ଅଞ୍ଚଳ ମିଶାଇ ପ୍ରାୟ ୪୦କିମିରୁ ଊର୍ଦ୍ଧ୍ବ ଅଞ୍ଚଳରେ ଏହି ପକ୍ଷୀ ଗଣନା ହୋଇଥିଲା। ପକ୍ଷୀଙ୍କୁ ଗଣିବା ପାଇଁ ସ୍ୱତନ୍ତ୍ର କ୍ୟାମେରା ଓ ବାଇନାକୁଲର ବ୍ୟବହାର କରାଯାଇଥିଲା। ତେବେ ୧୫ଟି ଦଳ ଟିକରପଡାଠାରୁ ବାଲିପୁଟ ଉତ୍ତରପାର୍ଶ୍ଵ, କଟରଙ୍ଗଘାଟଠାରୁ ବାଲିପୁଟ, ବାଲିପୁଟଠାରୁ ଚକ୍ରଗଡ଼, ହରଭଙ୍ଗାଠାରୁ ଅଏଡା, ମୋରଡାଠାରୁ କୁତୁରି, ବେଲପୁଞ୍ଜି ମଠ, ଶିଶୁ ପଥର ଡ୍ୟାମ୍, ବିନିକେୟୀରୁ ପତକା ପ୍ରଭୃତି ଅଞ୍ଚଳରେ ପକ୍ଷୀ ଗଣନା କରିଥିଲେ। ଚଳିତବର୍ଷ ପାଗ ଅନୁକୂଳ ରହିଥିବାରୁ ଅନେକ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥିବା ସାତକୋଶିଆ ଏସିଏଫଓ ଶୁଭେନ୍ଦୁ ବେହେରା କହିଛନ୍ତି।