ଅନୁଗୁଳ: ବିଦ୍ୟୁତ ଯୋଗାଣକାରୀ ସଂସ୍ଥା ଏନଜେନ ଗ୍ଲୋବାଲ ସୋଲ୍ୟୁସନ ଓ ସେସୁ ଅନୁଗୁଳକୁ ଅନୁଗୁଳ ଖାଉଟି ବିବାଦ ବିଚାର ଆୟୋଗ ପକ୍ଷରୁ ସେବାରେ ତ୍ରୁଟି ନିମନ୍ତେ ଦଣ୍ଡିତ କରାଯାଇଛି। ଦୀର୍ଘ ଚାରି ବର୍ଷର ଲଢେଇ ପରେ ଖାଉଟିଙ୍କୁ ନ୍ୟାୟ ମିଳିଛି। ତୁରଙ୍ଗ ଗାଁର ରୁଚିର କୁମାର ଦାସ
୨୯.୧.୨୦୧୯ରେ ଖାଉଟି ଅଦାଲତରେ ଅଭିଯୋଗ କରିଥିଲେ ଯେ, ତାଙ୍କ ଘର ମିଟର ୨୦୦୪ ରୁ ଖରାପ ଥିଲା। ବିଦ୍ୟୁତ ବିଭଗ ୧ କିଲୋୱାଟ ଲୋଡ଼ ଭିତ୍ତିରେ ଦେୟ ଆଦାୟ କରୁଥିଲେ। ଦୀର୍ଘ ଦିନ ପରେ ୯.୨.୨୦୧୭ ରେ ହଠାତ ବିଭାଗୀୟ ସ୍କ୍ୱାର୍ଡ ଘର ଚେକିଂ କରିଥିଲେ।ଘରେ ଗୋଟିଏ ଏସି ଓ ଗୀଜର ସଂଯୋଗ ନହୋଇ ରଖା ଯାଇଥିବା ଦେଖି ଥିଲେ। ରୁଚିରଙ୍କ ପରିବାର ଏହା ନାଲକୋରୁ ଅବସର ସମୟରେ ମିଳିଥିବା ଉପହାର ଏବଂ ଏହାକୁ ଅଦ୍ୟାବଧି ସଂଯୋଗ କରାଯାଇନଥିବା କହିଥିଲେ।
ଏହାପରେ ରୁଚିର ଚେକିଂ ପରଦିନ ନୂଆ ମିଟର ଲଗାଇବା ପାଇଁ ଆବେଦନ କରିଥିଲେ। କିନ୍ତୁ ବିଭଗ ପକ୍ଷରୁ ୪ କିଲୋୱାଟ ଲୋଡ଼ରେ ଦେୟ ଦେବାକୁ ଚିଠି କରିବା ସହ ଅତିରିକ୍ତ ଦେୟ ବାବଦକୁ ୪୨୮୭୯.୪୬ ଟଙ୍କାର ଏକ ବିଲ ଧରାଇ ଦେଇଥିଲେ।ରୁଚିର ଏନଜେନ ଓ ସେସୁ ଅଫିସକୁ ଯାଇ ଏହି ତ୍ରୁଟି ସଜାଡିବାକୁ ଅନୁରୋଧ କରିଥିଲେ।କିନ୍ତୁ ତାଙ୍କ କଥା କେହି ଶୁଣି ନଥିଲେ। ଫଳରେ ରୁଚିର ଖାଉଟି ଅଦାଲତ ର ଆଶ୍ରୟ ନେଇଥିଲେ।ଶେଷରେ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଖାଉଟିଙ୍କୁ ହଇରାଣ କରି ମାନସିକ ଯନ୍ତ୍ରଣା ଦେବା ଅଭିଯୋଗରେ ୨୦ ହଜାର ଟଙ୍କା ଅର୍ଥ ଦଣ୍ଡ ଦେବାସହ ମକଦ୍ଦମା ବାବଦକୁ ପାଞ୍ଚ ହଜାର ଅତିରିକ୍ତ ଦେବାକୁ ନିର୍ଦେଶ ଦେଇଛନ୍ତି ଅଦାଲତର ଅଧ୍ୟକ୍ଷ ସରୋଜ କୁମାର ସାହୁ। ତାଙ୍କୁ ଏହି ମକଦ୍ଦମାରେ ସଭ୍ୟ ସସ୍ମିତା ରଥ ସହାୟତା କରିଥିଲେ।