ଅନୁଗୁଳ: ଆଠମଲ୍ଲିକ ଥାନା ଇଲାକା ଜାମୁଡୋଲି ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଛାତ ଉପରକୁ ଛୋଟ ଝିଅକୁ ଆଣିବାକୁ ଯାଇଥିବା ବାପା ଶିଡିରୁ ଗଳିପଡ଼ିବାରୁ ଅକାଳ ମୃତ୍ୟୁମୁଖରେ ପଡ଼ିଛନ୍ତି। ମୃତକ ହେଲେ ସେହି ଗ୍ରାମର ସଞ୍ଜୟ ବଡ଼ମାଳି (୪୪)। ପୁଲିସ ସୂଚୂନା ମୁତାବକ, ସଞ୍ଜୟ କିଛିଦିନ ପୂର୍ବରୁ ଏକ ଦୁର୍ଘଟଣାର ଶିକାର ହୋଇଥିଲେ। ଦୁର୍ଘଟଣାରେ ତାଙ୍କର ଏକ ଗୋଡ଼ ଭାଙ୍ଗି ଯାଇଥିଲା। ସେ ସଠିକ୍ ଭାବେ ଚାଲିପାରୁନଥିଲେ। ତେବେ ଗତକାଲି ସକାଳେ ପ୍ରାୟ ୭ଟା ବେଳେ ତାଙ୍କ ୬ ବର୍ଷର କୁନି ଝିଅ ଘରର ଛାତ ଉପରକୁ ଚାଲି ଯାଇଥିଲା। ଛାତ ଉପରେ ଝିଅ ଏକା ଥିବା ଜାଣି ସଞ୍ଜୟ ଝିଅକୁ ଆଣିବାକୁ ଯାଇଥିଲା। ଝିଅକୁ ଧରି ଓହ୍ଲାଇବାବେଳେ ଭାରସାମ୍ୟ ହରାଇ ସେ ଗଡ଼ି ଗଡ଼ି ତଳେ ପଡ଼ିଥିଲେ। ତାଙ୍କ ମୁଣ୍ତରେ ଗଭୀର ଆଘାତ ଲାଗିଥିଲା। ପରିବାର ଲୋକେ ତାଙ୍କୁ ପ୍ରଥମେ ଆଠମଲ୍ଲିକ ଡାକ୍ତରଖାନା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ଏଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍ ଏକ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା।
ସଡ଼କ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ ଶିଡ଼ିରୁ ପଡ଼ି ଜୀବନ ଗଲା
- Post published:January 28, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
