ବିଶ୍ବାସରେ ବିଷଦେଲା ଫେସବୁକ୍ ଫ୍ରେଣ୍ଡ୍…

ଘରୁ ଡାକିନେଇ ଯୁବକଙ୍କୁ ଲୁଟପାଟ୍

0

ଅନୁଗୁଳ: ଫେସ୍‌ବୁକରେ ବନ୍ଧୁତା । ବନ୍ଧୁତା ନିବିଡ଼ ହେବା ପରେ ନିଜ ଦୋକାନରେ ଚାକିରି ଦେବାକୁ ପ୍ରତିଶ୍ରୁତି । ଖାଲି ପ୍ରତିଶ୍ରୁତି ଦେଲାନି, ଭୁବନେଶ୍ୱରରୁ ଆସି ଅନୁଗୁଳରୁ ସାଥୀରେ ଧରି ଗଲା । ହେଲେ ଅଧା ରାସ୍ତାରେ ବିଶ୍ବାସରେ ଦେଲା ବିଷ । ଯୁବକ ଶୌଚାଳୟକୁ ଯାଇଥିବା ବେଳେ ତାଙ୍କ ମନିପର୍ସରୁ ୧୦ ହଜାର ଟଙ୍କା ଓ ମୋବାଇଲ ଲୁଟିନେଲା । ଜରପଡ଼ା ଥାନା ଇଲାକା ଯୋକୁବୁ ଗ୍ରାମର ସିଲୁ ସାହୁ(୨୭) ଏଭଳି ଠକାମିର ଶିକାର ହୋଇଛନ୍ତି । ଭୁବନେଶ୍ୱରର ସୌମ୍ୟରଞ୍ଜନ ସାହୁ ନାମକ ଜଣେ ଯୁବକ ତାଙ୍କ ଠାରୁ ଟଙ୍କା ଲୁଟିନେଇଥିବା ଜଣାପଡ଼ିଛି ।ସୂଚନା ମୁତାବକ, ଯୋକୁବୁ ଗ୍ରାମର ସିଲୁ ଦୀର୍ଘ ୧୧ ବର୍ଷ ହେଲା ସୁରଟର ଏକ ସୂତାମିଲରେ କାମ କରୁଥିଲେ । ସେଠାରେ ଥିବା ବେଳେ ସେ ଭୁବନେଶ୍ବରର ଜଣେ ମହିଳାଙ୍କ ସହିତ ଫେସବୁରେ ବନ୍ଧୁତା ହୋଇଥିଲା । ଏହି ବିବାହିତ ମହିଳାଙ୍କ ସ୍ଵାମୀ ହେଲେ ସୌମ୍ୟରଞ୍ଜନ ଓ ତାଙ୍କର ଏକ ଶିଶୁ କନ୍ୟା ରହିଛି । ଫେସବୁକରେ ବନ୍ଧୁତା ମଜଭୁତ ହେବା ପରେ ସିଲୁ ମହିଳାଙ୍କ ସ୍ଵାମୀ ସୌମ୍ୟରଞ୍ଜନଙ୍କ ସହ ଚାଟ୍ କରିଥିଲେ । ସୌମ୍ୟରଞ୍ଜନ ଭୁବନେଶ୍ୱରରେ ଏକ ମୋବାଇଲ ଦୋକାନ କରିଛନ୍ତି । ଏଥିପାଇଁ ୨ ଜଣ ପିଲା ଦରକାର ବୋଲି ସିଲୁଙ୍କୁ କହିଥିଲେ । ତେବେ ଗତ ୭ ତାରିଖ ଦିନ ଦେହ ଅସୁସ୍ଥ ହେବାରୁ ସିଲୁ ନିଜ ପୈତୃକ ଗାଁ ଯୋକୁବୁକୁ ଫେରିଥିଲେ । ଘରେ ପହଞ୍ଚିବା ପରେ ସେ ନିଜେ ସୌମ୍ୟରଞ୍ଜନଙ୍କ ଦୋକାନରେ ରହିବେ ବୋଲି କହିଥିଲେ । ଏହି ବାବଦରେ ଖିଆପିଆ ସାଙ୍ଗକୁ ୧୦ ହଜାର ଟଙ୍କା ଦରମା ମିଳିବ ବୋଲି ସୌମ୍ୟରଞ୍ଜନ କହିଥିଲେ । ୭ ତାରିଖ ଦିନ ସୌମ୍ୟରଞ୍ଜନ ଯୋକୁବୁ ଆସିଥିଲେ। ସିଲୁଙ୍କୁ ସାଥୀରେ ନେଇଯିବାକୁ ଆସି ତାଙ୍କ ଘରେ ଦୁଇଦିନ ରହି ବିଶ୍ୱାସ ଜନ୍ମାଇଥିଲେ । ୧୦ ତାରିଖ ଦିନ ପୂର୍ବାହ୍ନରେ ଉଭୟ ବସରେ ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ ତେବେ କଟକ ଠାରେ ସୈତାନି ବୁଦ୍ଧି ଖଟାଇଥିଲେ ସୌମ୍ୟରଞ୍ଜନ । କଟକରେ ଅପରାହ୍ନ ୩ଟାରେ ପହଞ୍ଚିବା ପରେ ଉଭୟ ଏକ ଶୌଚାଳୟକୁ ଯାଇଥିଲେ। ସେଠାରେ ପ୍ରଥମେ ସୌମ୍ୟରଞ୍ଜନ ଗାଧୋଇବାକୁ ଯାଇଥିଲେ । ସେ ଫେରିବା ପରେ ସିଲୁ ତାଙ୍କ ବ୍ୟାଗ ଧରାଇ ଶୌଚାଳୟକୁ ଯାଇଥିଲେ। ମାତ୍ର ସେ ଗାଧୋଇ ଫେରିବା ବେଳକୁ ସୌମ୍ୟରଞ୍ଜନ ତାଙ୍କ ବ୍ୟାଗରେ ଥିବା ୧୦ ହଜାର ଟଙ୍କା, ମୋବାଇଲ ସହିତ ସମସ୍ତ ପ୍ରମାଣପତ୍ର ଲୁଟି ଚମ୍ପଟ ମାରିଥିଲା । ସିଲୁ ଏନେଇ ଶୌଚାଳୟର ଜଣେ କର୍ମଚାରୀଙ୍କୁ ଜଣାଇବା ପରେ ସେ ଠକ ହାବୁଡ଼ରେ ପଡ଼ିଥିଲେ ବୋଲି ଜାଣିବାକୁ ପାଇଥିଲେ । ଠକାମିର ଶିକାର ହୋଇଥିବା ଜାଣି ସିଲୁଙ୍କ ମୁଣ୍ଡ କାମ କରିନଥିଲା । ଶେଷରେ ନିରୁପାୟ ହୋଇ ମୁଣ୍ଡକାନ ଆଉଁସି ସିଲୁ ଘରକୁ ଫେରିଛନ୍ତି । ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି।

Leave A Reply

Your email address will not be published.

error: Content is protected !!