ଅନୁଗୁଳ: ଅନୁଗୁଳ ଜିଲ୍ଲାର ୯୨ଟି ରାଜସ୍ବ ଗ୍ରାମକୁ ଦଖଲ ପ୍ରଦାନ କରିଥିବା ଚକବନ୍ଦୀ ରେକର୍ଡକୁ ଉଚ୍ଛେଦ କରି ଶାବକ ଦଖଲ ଅନୁଯାୟୀ ପଟ୍ଟା ପ୍ରଦାନ ଦାବିରେ ଚାଷୀ ସୁରକ୍ଷା କମିଟି ନେତୃତ୍ବରେ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ଅନୁଗୁଳ ଉପଖଣ୍ଡର ବିଭିନ୍ନ ଗ୍ରାମର ଶତାଧିକ ଚାଷୀ ଷ୍ଟାଡିୟମ୍ ଠାରୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମାକରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ କମିଟିର କାର୍ଯ୍ୟକାରୀ ସଭାପତି ବ୍ରଜବନ୍ଧୁ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କମିଟି ସଭାପତି ଭାସ୍କର ଦେହୁରୀ, ସମ୍ପାଦକ କାଳୀଚରଣ ପ୍ରଧାନ, ଯତିନ୍ଦ୍ର ପ୍ରଧାନ, ଗିରିଶ ଚନ୍ଦ୍ର ସାହୁ, ଚକବନ୍ଦୀ ଉଚ୍ଛେଦ ସଂଘ ସମ୍ପାଦକ ନିର୍ମଳ ଅଗ୍ରଓ୍ବାଲା, ରୁରାଲ୍ ଏଣ୍ଡ ହାଉସିଂ ବୋର୍ଡ ଅଧ୍ୟକ୍ଷ ମୀନକେତନ ଅମାନ୍ତ, ପୂର୍ବତନ ଅନୁଗୁଳ ବ୍ଲକ ଉପାଧ୍ୟକ୍ଷ ଦୁର୍ଗାଚରଣ ପ୍ରଧାନ, ହିଡିସିଂହ ଜଳସେଚନ ଯୋଜନା କାର୍ଯ୍ୟକାରୀ କମିଟି ସଭାପତି ଦିନେଶ ଦେହୁରୀ, ଅନୁଗୁଳ ଜିଲ୍ଲା ଜନଜୀବନ ସୁରକ୍ଷା କମିଟିର କର୍ମକର୍ତ୍ତା ଭିକାରୀ ପ୍ରଧାନ, ନିରୋଦ ଚନ୍ଦ୍ର ପାଳ, ନବକିଶୋର ପ୍ରଧାନ, ମାନସ ପାଳ, ସଞ୍ଜୟ ସାହୁ ପ୍ରମୁଖ ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ, ଜମିଜମା ଚକ ଚିହ୍ନଟକରି ପ୍ରଦାନ ନକରିବା ଯୋଗୁଁ ପ୍ରାୟ ୪୦ ବର୍ଷ ଧରି ପ୍ରତ୍ୟେକ ଲୋକ ତାଙ୍କର ପୂର୍ବ ଶାବକ ଜମି ଦଖଲ କରିଆସୁଛନ୍ତି। କିନ୍ତୁ ଆବଶ୍ୟକସ୍ଥଳେ ଜମି ଖରିଦ, ବିକ୍ରି ହୋଇପାରୁନାହିଁ। ୧୯୫୨-୬୨ ବନ୍ଦୋବସ୍ତ ଅନୁଯାୟୀ ଜମି ଦଖଲ ଥିବାରୁ ଚିହ୍ନଟ ହୋଇପାରୁନାହିଁ। ରାଜସ୍ଵ ଓଗେର ନଦେଲେ ବାସିନ୍ଦାକୁ ଜାତି, ଆୟ, ଉତ୍ତରାଧୂକାରୀ ପ୍ରମାଣପତ୍ର ମିଳୁନାହିଁ। ଶିଳ୍ପ ପ୍ରତିଷ୍ଠା ପାଇଁ ଭିତ୍ତିଭୂମି ଥିବା ଏହି ଜିଲ୍ଲାରେ କାରଖାନା ପ୍ରତିଷ୍ଠା, ଖଣି, ରେଲୱେ ଓ ସଡକ ପାଇଁ ଜମି ଅଧିଗ୍ରହଣ ସମୟରେ ଶାବକ ଦଖଲ ଭୋଗ କରୁଥିବା ପ୍ରଜାଙ୍କୁ କ୍ଷତିପୂରଣ ମିଳି ପାଇପାରୁନାହିଁ। ଆବଶ୍ୟକସ୍ଥଳେ ଜମି ହରାଇମଧ୍ୟ କର୍ମ ସଂସ୍ଥାନ ପାଇପାରୁନାହାନ୍ତି କ୍ଷତିଗ୍ରସ୍ତ। ଏଣୁ ପ୍ରଶାସନ ଓ ସରକାର ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ବାସ୍ତବ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଥିଲେ। ଶେଷରେ ଜିଲ୍ଲାପାଳଙ୍କ ସହ ଏକ ପ୍ରତିନିଧି ଦଳ ଦାବିପତ୍ର ପ୍ରଦାନ କରି ଆଲୋଚନା କରିଥିଲେ। ଦାବି ସମ୍ପର୍କରେ ପ୍ରଶାସନ ଅବଗତ ଅଛି ଏବଂ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। ପ୍ରଶାସନିକ ସ୍ତରରେ ପଦକ୍ଷେପକୁ ତ୍ବରାନ୍ବିତ ନକଲେ ଆଗାମୀ ଦିନରେ ଦାବି ପୂରଣ ପର୍ଯ୍ୟନ୍ତ ଆନ୍ଦୋଳନକୁ ଯୋରଦାର କରାଯିବ ବୋଲି କମିଟି ତରଫରୁ ଚେତାବନୀ ଦିଆଯାଇଛି।
ଚକବନ୍ଦୀ ରେକର୍ଡ ଉଚ୍ଛେଦ କରି ଶାବକ ପଟ୍ଟା ପ୍ରଦାନ ଦାବିରେ ଚାଷୀ ବିକ୍ଷୋଭ
- Post published:October 27, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik
