ଅନୁଗୁଳ: ଦୋକାନକୁ କେନ୍ଦ୍ର କରି ଯୁବକଙ୍କୁ ଭୁଜାଲି ମାଡ଼। ଅନୁଗୁଳ ଟାଉନ ଥାନା ଠାରୁ ମାତ୍ର ଦୁଇ ଶହ ମିଟର ଦୂରରେ ଶୀତଲ ପ୍ଲାଜା ଭିତରେ ଆଜି ଏଭଳି କାଣ୍ଡ ଘଟିଛି। ଗୁରୁତର ଅବସ୍ଥାରେ ଯୁବକଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁତର ଯୁବକ ହେଲେ ହେମସୁରପଡା ନାଖରା ସାହିର ଜଗବନ୍ଧୁ ଧଳଙ୍କ ପୁଅ ନୀଲ୍ ଧଳ (୨୫)।
ସୂଚନା ମୁତାବକ, ଆଜି ଦିନ ଦ୍ବିପ୍ରହରରେ ଶୀତଲ ପ୍ଲାଜା ଭିତରେ ମୋବାଇଲ ଦୋକାନ ଦେବାକୁ କେନ୍ଦ୍ର କରି ମୂଷାପାପୁଲି ଅଞ୍ଚଳର ପିଣ୍ଟୁ ସାହୁ ନୀଲ୍ ଧଳଙ୍କୁ ଏକ ଧାରୁଆ ଭୁଜାଲିରେ ମରଣାନ୍ତକ ଆକ୍ରମଣ କରିଥିଲା। ଫଳରେ ନୀଲ୍ ଗୁରୁତର ହୋଇଯାଇଥିଲେ। ନିକଟରେ କାମ କରୁଥିବା ଅନ୍ୟ ସାଥୀ ମାନେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ନୀଲଙ୍କ କାନ୍ଧ ଓ ହାତରେ ଗଭୀର ଆଘାତ ଲାଗିଛି। ଘଟଣା ଘଟାଇ ସାରିବା ପରେ ପିଣ୍ଟୁ ଫେରାର ହୋଇଯାଇଥିବା ଜଣାଯାଇଛି। ଏନେଇ ନୀଲଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି।


