ଅନୁଗୁଳ: ହାତୀ ଘଉଡ଼ାଇବାକୁ ନେଇ ହିନ୍ଦୋଳ ଓ ବନ୍ତଳା ବନାଞ୍ଚଳ କର୍ମଚାରୀଙ୍କ ମଧ୍ୟରେ ଘମାଘୋଟ ପାଟିତୁଣ୍ଡ। ହିନ୍ଦୋଳ ବନାଞ୍ଚଳ ଅଧିକାରୀ ବନ୍ତଳା ବନାଞ୍ଚଳର ଜଣେ ଗଜମିତ୍ର ଉପରକୁ ଗୁଳି ଚାଳନା କରିଥିବା ଅଭିଯୋଗ ହୋଇଛି। ଏନେଇ ଗୁରୁବାର ବନ୍ତଳା ବନାଞ୍ଚଳର ଶତାଧିକ ଗଜସାଥି, ଗଜମିତ୍ର, ବନଜଗୁଆଳି ଅନୁଗୁଳ ବନଖଣ୍ଡ ଅଧିକାରୀଙ୍କୁ ଭେଟିବା ସହ ଲିଖିତ ଅଭିଯୋଗ କରିଛନ୍ତି।
ଅଭିଯୋଗକାରୀ ଅଭିଷେକ ସାହୁଙ୍କ କହିବା ମୁତାବକ ଗତ ୨୯ତାରିଖ ରାତି ପ୍ରାୟ ୧୧ଟାରେ ବନ୍ତଳା ବନାଞ୍ଚଳର ସୀମା ଭେରୁ ବଣିଆ ଠାରେ ପାଟ୍ରୋଲିଂ କରୁଥିଲେ। ଜଣେ ଫରେଷ୍ଟରଙ୍କ ସହ ୬ଜଣ ସ୍କ୍ୱାଡ୍ ଜଗୁଆଳି ଏକ କ୍ୟାମ୍ପର ଗାଡ଼ିରେ ଆଦିଆଘାଇ ସମେତ ଭେରୁବଣିଆ ଅଞ୍ଚଳ ବୁଲାବୁଲି କରୁଥିଲେ। ଏହି ସମୟରେ ହିନ୍ଦୋଳ ବନାଞ୍ଚଳ ଅଧିକାରୀଙ୍କ ସମେତ ଦୁଇ ଜଣ ୱାଚର ଏବଂ ଗାଡି ଚାଳକ ଆଦିଆଘାଇ ଓ ଭେରୁବଣିଆ ଅଞ୍ଚଳକୁ ପଶିଥିଲେ, ଯାହାକି ବନ୍ତଳା ବନାଞ୍ଚଳ ଅଧୀନରେ ରହିଛି। ଏହି ଅଞ୍ଚଳରେ ହାତୀ ରହୁଥିବା କାରଣରୁ ଦୁଇ ବନାଞ୍ଚଳ ନିଜ ନିଜ ଅଞ୍ଚଳକୁ ହାତୀକୁ ପଶାଇ ନଦେବାକୁ ପ୍ରୟାସ ଆରମ୍ଭ କରିଥିଲେ। ଏହାର ମଧ୍ୟରେ ହିନ୍ଦୋଳ ରେଞ୍ଜର ଗୌତମ ପ୍ରଧାନ ଓ ତାଙ୍କ ସାଥି ବନ୍ତଳା ବନାଞ୍ଚଳର ପଇଁତରା ମାରୁଥିବା ଅଭିଷେକ ଓ ତାଙ୍କ ଟିମକୁ ଅଶ୍ଳୀଳ ଭାଷାରେ ଗାଳିଗୁଳଜ କରିଥିଲେ। ଏପରିକି ବନବିଭାଗର କ୍ୟାମ୍ପର ଗାଡିରୁ ଜୋର ଜବରଦସ୍ତ ଚାବି ଖୋଲିନେଇଥିଲେ। ଏହି ସମୟରେ ଅଭିଷେକ ବନ୍ତଳା ରେଞ୍ଜରଙ୍କୁ ଫୋନ କରିବା ବେଳେ ଗୌତମ ଫୋନ ଛଡାଇ ନେଇଥିଲେ। ଅଭିଷେକ ନିଜ ବାଇକ ଯୋଗେ ବନ୍ତଳା ଯିବାକୁ ଉଦ୍ୟମ କରୁଥିବା ବେଳେ ପଛରୁ ଏକ ସର୍ଟଗନ (ବନ୍ଧୁକ) ଦ୍ୱାରା ହିନ୍ଦୋଳ ରେଞ୍ଜର ଗୌତମ ପ୍ରଧାନ ଗୁଳି ଫୁଟାଇଥିଲେ। ସୌଭାଗ୍ୟବଶତଃ ଗୁଳିଟି ଅଭିଷେକଙ୍କ ଦେହରେ ବାଜି ନଥିଲା। ସେମାନେ ଅଭିଷେକଙ୍କ ଗାଡିକୁ ଅଟକାଇ ବାଡ଼ିଆପିଟା କରିଥିଲେ ଓ ମଟରସାଇକେଲ ଛଡାଇ ନେଇଥିଲେ। ପ୍ରାଣବିକଳରେ ସେ ନିକଟସ୍ଥ ଜଣେ ଲୋକଙ୍କ ଘରକୁ ପଶିଯାଇଥିଲେ।
ଖବର ପାଇ ପୋଲିସ ଓ ବନ ବିଭାଗ ଟିମ୍ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ଗୁରୁବାର ବନ୍ତଳା ବନାଞ୍ଚଳର ଶତାଧିକ ଗଜସାଥୀ ଅନୁଗୁଳ ବନଖଣ୍ଡ ଅଧିକାରୀଙ୍କୁ ଭେଟି ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି। ଏନେଇ ଅନୁଗୁଳ ବନଖଣ୍ଡ ଅଧିକାରୀ ନୀତିଶ କୁମାର କହିଛନ୍ତି, ଅଭିଯୋଗ ଆସିଛି। ତିନିଦିନ ପରେ ଏନେଇ ଦୁଇ ବନଖଣ୍ଡ ମଧ୍ୟରେ ଏକ ବୈଠକ ବସିବ। ଏହା ପରେ ଘଟଣାର ସତ୍ୟତା ଜଣାପଡ଼ିବ।