ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ ରଣିଆକଟା ପଞ୍ଚାୟତର ଝାମ୍ପୁଲି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁର ରଞ୍ଜିତ ପ୍ରଧାନ (୫୦) ଗୁରୁବାର ସକାଳେ ଝିମେଇଜୋର କୂଳରେ ନିଜ ଛେଳି ଚରାଉଥିବା ବେଳେ ଏକ କୁମ୍ଭୀର ଛେଳିଟିକୁ ଟାଣି ନେଇଥିଲା। ଛେଳିକୁ ବଞ୍ଚାଇବା ପାଇଁ ରଞ୍ଜିତ ପାଣିକୁ ଡେଇଁପଡ଼ି କୁମ୍ଭୀର ସହ ସଂଘର୍ଷ କରିଥିଲେ ଏବଂ ଛେଳିକୁ ମୁହଁରୁ ଉଦ୍ଧାର କରିଥିଲେ।
କିନ୍ତୁ ଏହି ଆକ୍ରମଣରେ ରଞ୍ଜିତ ନିଜର ବାମ ହାତ ହରାଇଛନ୍ତି। ତାଙ୍କ ଚିତ୍କାର ଶୁଣି କିଛି ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ କିଶୋରନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
କୁମ୍ଭୀର ଉପଦ୍ରବ ବଢୁଥିବାରୁ ଲୋକେ ଭୟଭୀତ ଥିବା ବେଳେ ବନ ବିଭାଗ କୌଣସି ଠୋସ୍ ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି। ଗୁରୁତର ରଞ୍ଜିତଙ୍କୁ ଉତ୍ତମ ଚିକିତ୍ସା ଓ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।




