ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡ଼ ବୁଢ଼ାପଙ୍କ ପଞ୍ଚାୟତର ପନ୍ଦରଭରଣିଆ ଗ୍ରାମରେ ୭ ପରିବାରକୁ ନିଆଁ ପାଣି ବାସନ୍ଦ କରାଯାଇଛି। ଗ୍ରାମ ସଭା ଏହି ନିଷ୍ପତ୍ତି ଶୁଣାଇଛି।
ସୂଚନା ଅନୁଯାୟୀ ବାସନ୍ଦ ହୋଇଥିବା ସାତ ପରିବାର ଲକ୍ଷ୍ମଣ ଭୁତିଆ, ପାଣ୍ଡବ ଭୁତିଆ, ଅମରେନ୍ଦ୍ର ଭୁତିଆ, ନରୋତ୍ତମ ଭୁତିଆ, ଶୁକୃ ଭୁତିଆ, ସୁଜନ ଭୁତିଆ, ପଞ୍ଚୁ ଭୁତିଆଙ୍କ ପରିବାର ଲୋକ ନ୍ୟାୟ ପାଇଁ ଆଜି ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଅଭିଯୋଗ ମୁତାବକ, ତାଙ୍କ ଘର ସମ୍ମୁଖରୁ ପିଇବା ପାଣି ସପ୍ଲାଇର ଟ୍ୟାପକୁ ଗ୍ରାମର ମହିଳା ସଂଗଠନ ସ୍ଥାନାନ୍ତରିତ କରିବା ଉଦ୍ୟମ କରିଥିଲେ। କିନ୍ତୁ ତାଙ୍କ ପରିବାର ଲୋକ ପ୍ରତିବାଦ କରିବାରୁ ମହିଳା ସଂଗଠନ ସହିତ ଝଗଡ଼ା ହୋଇଥିଲା। ଏ ନେଇ ଗ୍ରାମର ମହିଳା ସଂଗଠନ ଉଦ୍ଦେଶ୍ଯ ମୂଳକ ଭାବେ ପ୍ରତିଶୋଧ ନେବା ପାଇଁ ରବିବାର ଦିନ ଅପରାହ୍ନରେ ଗାଁରେ ସଭା କରାଇଥିଲେ। ମହିଳା ସଂଗଠନ ସହିତ ଝଗଡ଼ା ହୋଇଥିବାରୁ ସେଠାରେ ବାସନ୍ଦ ପରିବାର ଲୋକମାନେ ଭୁଲ ମାଗିଥିଲେ। କିନ୍ତୁ ମହିଳା ସଂଗଠନ ମନ ବୁଝି ନଥିଲା। ସଭାରେ କଙ୍ଗାରୁ କୋର୍ଟ କରି ୫୦୦୦ ଟଙ୍କା ଜରିମାନା ଦେବା ସହ ଛେପପକାଇ ଚାଟିବାକୁ କହିଥିଲେ। ଏ ନେଇ ନିର୍ଯାତିତ ପରିବାର ମନା କରିବାରୁ ଗ୍ରାମବାସୀ ସେମାନଙ୍କୁ ଗାଁର ସାମାଜିକ ଚଳିନୀରୁ ବାସନ୍ଦ କରିଛନ୍ତି। ଏଥିସହ ତାଙ୍କ ପିଲାମାନଙ୍କ ପାଠ ପଢ଼ା ବି ବନ୍ଦ ହୋଇଛି। ଏଣୁ ଆଜି ସାତ ପରିବାର ଲୋକ ଆସି ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଏହି ମାମଲାରେ କାହାର ପ୍ରତିକ୍ରିୟା ମିଳି ପାରିନଥିବା ବେଳେ ଥାନା ଅଧିକାରୀଣୀ ନିରୂପମା ଜେନା ତଦନ୍ତ ଆରମ୍ଭ କରିଛନ୍ତି।