ଅନୁଗୁଳ: ଅନୁଗୁଳ ଜିଲ୍ଲା ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଆଜି ଅପରାହ୍ନରେ ନାଲକୋ ଅଞ୍ଚଳର ବିଭିନ୍ନ ଖାଦ୍ୟ ପ୍ରସ୍ତୁତକାରୀ ଦୋକାନରେ ଚଢ଼ଉ କରାଯାଇଛି। ଯାଞ୍ଚ ବେଳେ ୨୦ରୁ ଅଧିକ ହୋଟେଲରେ ଅସ୍ୱାସ୍ଥ୍ୟକର ଖାଦ୍ୟ ପ୍ରସ୍ତୁତି ଦେଖି ଅଧିକାରୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। କେଉଁଠି ରଙ୍ଗ ମିଶା ଖାଦ୍ୟ ଓ କେଉଁଠି ବାସି ଖାଦ୍ୟ ପରଷାଯାଉଥିବା ବେଳେ ଆଉ କେଉଁଠି ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତି ହେଉଥିଲା। ଦୋକାନୀଙ୍କ ଫୁଡ୍ ଲାଇସେନ୍ସ ମଧ୍ଯ ଯାଞ୍ଚ କରାଯାଇଥିଲା। ଫୁଡ୍ ଲାଇସେନ୍ସ ନଥିବା ଦୋକାନୀଙ୍କୁ ତୁରନ୍ତ ତିଆରି କରିବାକୁ ତାଗିଦ୍ କରିଥିଲେ ଅଧିକାରୀ। ଏଥିରେ ପ୍ରାୟ ୧୫ ଦୋକାନୀଙ୍କ ଠାରୁ ପନ୍ଦର ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ଜଣାପଡ଼ିଛି।
ସେହିପରି ଗିରାଙ୍ଗ ଛକ ସ୍ଥିତ ଏକ ରାସନ୍ ଦୋକାନରୁ ବ୍ୟାପକ ପରିମାଣର ଏକ୍ସପାରି ଖାଦ୍ୟ ସାମଗ୍ରୀ ପ୍ୟାକେଟ ଜବତ ମଧ୍ୟ କରାଯାଇଛି। ଏହି ଯାଞ୍ଚ ଟିମରେ ଖାଦ୍ୟ ନିରାପତ୍ତା ଅଧିକାରୀ ହରପ୍ରିୟା ବେହେରା, ନୀଳାମ୍ବର ପ୍ରଧାନଙ୍କ ସମେତ ନାଲକୋ ପୁଲିସ ଏ ଏସ ଆଇ ପବିତ୍ର ନାଗ ପ୍ରମୁଖ ସାମିଲ ଥିଲେ।
