ଅନୁଗୁଳ: ଅନୁଗୁଳ ଜିଲ୍ଲାର ଦୁଇ ସ୍ୱତନ୍ତ୍ର ଭାବେ ସକ୍ଷମ ଯୁବକ ଛେଣ୍ଡିପଦା ତେନ୍ତୁଲେଇ କୁଡ଼ା ସାହିର ଧ୍ରୁବ ଚରଣ ପ୍ରଧାନ ଏବଂ ମାଛକୁଟାର ନିର୍ମଳ କୁମାର ସେଠୀ, ହ୍ୱିଲଚେୟାର କ୍ରିକେଟରେ ନିଜର ପ୍ରତିଭା ପ୍ରଦର୍ଶନ କରି ଓଡ଼ିଶାକୁ ପ୍ରତିନିଧିତ୍ୱ କରୁଛନ୍ତି। ସେମାନଙ୍କ ହ୍ୱିଲଚେୟାର କ୍ରିକେଟ ପ୍ରତି ଥିବା ଆଗ୍ରହ ଓ ପ୍ରଦର୍ଶନକୁ ସମ୍ମାନ କରିବାକୁ ଯାଇ ଗୁଜରାଟ ମିନେରାଲ ଡେଭେଲପମେଣ୍ଟ କର୍ପୋରେସନ (ଜିଏମଡିସି)ର ସିଏସଆର ଶାଖା ଗ୍ରାମ୍ୟ ବିକାଶ ଟ୍ରଷ୍ଟ (ଜିଭିଟି) ଏହି ଦୁଇ ଯୁବକଙ୍କୁ କ୍ରିକେଟ ଖେଳିବା ପାଇଁ ମୋଟରାଇଜଡ୍ ହ୍ୱିଲଚେୟାର ଏବଂ ସ୍ୱତନ୍ତ୍ର କ୍ରିକେଟ କିଟ ପ୍ରଦାନ କରିଛି।
ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅବଦାଲ ଏମ. ଅଖତାର ଏହି ସାମଗ୍ରୀ ପ୍ରଦାନ କରିଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରିତିମୟ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନାରାୟଣ ମହାପାତ୍ର ଏବଂ ଜିଏମଡିସିର ବୈତରଣୀ ପଶ୍ଚିମ କୋଇଲା ବ୍ଲକ ପ୍ରୋଜେକ୍ଟ ମୁଖ୍ୟ ଶ୍ରୀ ସୁଶୀଳ ମିନହାସ ଉପସ୍ଥିତ ଥିଲେ।











