ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପରଲୋକ: ୭ ଦିନ ରାଷ୍ଟ୍ରୀୟ ଶୋକ,କେନ୍ଦ୍ର ସରକାରଙ୍କ ସମସ୍ତ କାର୍ଯ୍ୟକ୍ରମ ବାତିଲ୍

You are currently viewing ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପରଲୋକ: ୭ ଦିନ ରାଷ୍ଟ୍ରୀୟ ଶୋକ,କେନ୍ଦ୍ର ସରକାରଙ୍କ ସମସ୍ତ କାର୍ଯ୍ୟକ୍ରମ ବାତିଲ୍

ଅନୁଗୁଳ: ଆଉ ନାହାନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ। ଦିଲ୍ଲୀ ଏମ୍ସରେ ଚିକିତ୍ସା ସମୟରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା ।

ଗୁରୁବାର ମନମୋହନ ସିଂଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବା କାରଣରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଚିକିତ୍ସା ଚାଲିଥିବା ସମୟରେ ନିଧନ ହୋଇଛି। ଶ୍ରୀ ସିଂହଙ୍କ ଶେଷ ସମୟରେ ତାଙ୍କ ପତ୍ନୀ ଗୁରୁଶରଣ କୌର ଓ ୩ ଝିଅ ଉପସ୍ଥିତ ଥିଲେ।

ବିଶିଷ୍ଟ ଅର୍ଥଶାସ୍ତ୍ରୀ ତଥା ଭାରତୀୟ ରାଜନୀତିରେ ଲମ୍ବା ଇନିସିଂ ଖେଳିଥିବା କଂଗ୍ରେସର ଏହି ଭେଟେରାନ ରାଜନେତା ୧୯୩୨ ମସିହାରେ ପଞ୍ଜାବର ଗାହ ଗାଁରେ ଜନ୍ମଗ୍ରହଣ କରିଥିଲେ ଯାହା ବର୍ତ୍ତମାନ ପାକିସ୍ତାନର ଏକ ଅଂଶ ଅଟେ। ବିଭାଜନ ସମୟରେ ତାଙ୍କ ପରିବାର ପାକିସ୍ତାନରୁ ଭାରତ ଆସିଥିଲେ। ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ କଂଗ୍ରେସ ନେତୃତ୍ବାଧୀନ ‘ୟୁପିଏ’ ସରକାରରେ ପ୍ରଧାନମନ୍ତ୍ରୀ ଥିଲେ।

ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ ଏବଂ ନରେନ୍ଦ୍ର ମୋଦିଙ୍କ ପରେ ସେ ଦୀର୍ଘ ଦିନ ଧରି ପଦରେ ରହିଥିବା ଚତୁର୍ଥ ପ୍ରଧାନମନ୍ତ୍ରୀ ଅଟନ୍ତି। ଏହା ବ୍ୟତୀତ ସେ ଏକମାତ୍ର ଶିଖ ରାଜନେତା ଯିଏକି ଭାରତୀୟ ରାଜନୀତିରେ ପ୍ରଧାନମନ୍ତ୍ରୀ ପଦରେ ରହିଥିଲେ। ତେବେ ଚଳିତବର୍ଷ ଏପ୍ରିଲରେ ସେ ରାଜ୍ୟସଭା ସାଂସଦ ପଦରୁ ଅବସର ନେବା ସହ ବାର୍ଦ୍ଧକ୍ୟଜନିକ କାରଣରୁ ସକ୍ରିୟ ରାଜନୀତିରୁ ମଧ୍ୟ ଅବସର ନେଇଥିଲେ।

ତାଙ୍କ ମୃତ୍ୟୁରେ ସମଗ୍ର ଦେଶ ସହ ରାଜନୀତି ମାହୋଲରେ ଶୋକର ଛାୟା ଖେଳିଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି। କେନ୍ଦ୍ର ସରକାର ୭ ଦିନ ରାଷ୍ଟ୍ରୀୟ ଶୋକ ପାଳନ ସହ ସମସ୍ତ କାର୍ଯ୍ୟକ୍ରମ ବାତିଲ୍ କରିଛନ୍ତି।

Share

Leave a Reply