ଅନୁଗୁଳ: ସ୍ଥାନୀୟ ସଭାଘର ଠାରେ ଆମ ପ୍ରତିଭା ଓ ଆମ ସ୍ବାଭିମାନ ସଂସ୍ଥା ପକ୍ଷରୁ ଏହାର ଦ୍ଵିତୀୟ ସ୍ଵନକ୍ଷତ୍ର ଦିବସ ପାଳିତ ହୋଇଯାଇଛି। ଏ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପଦ୍ମଶ୍ରୀ ଦଇତାରୀ ନାୟକ ଗୋନାଶିକା ପାହାଡ଼ର ତିନି କିମି ଫଟେଇ ଅପର ପାର୍ଶ୍ୱରେ ଥିବା ଜଳଧାରାକୁ କୃଷି ପାଇଁ କିଭଳି ସେ ଉପଯୋଗ କରିଥିଲେ ତାହା ବର୍ଣ୍ଣନା କରିବା ସହ ଯୁବ ପିଢ଼ିଙ୍କୁ ଲକ୍ଷ ସ୍ଥଳରେ ପହଞ୍ଚିବା ପାଇଁ ପରିଶ୍ରମ କରିବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ଡ଼ା ଧରଣୀଧର ନାଥ ଆଜି ବିଶିଷ୍ଟ ଗାନ୍ଧୀବାଦୀ ନେତା ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତି ଅବସରରେ ତାଙ୍କୁ ଓଡ଼ିଶାର ଅନ୍ୟତମ ପ୍ରାଜ୍ଞ ପୁରୁଷ ଭାବେ ଚିତ୍ରଣ କରିଥିଲେ।
ଗାନ୍ଧୀବାଦୀ ଚିନ୍ତାଧାରାକୁ ପ୍ରୟୋଗ କରି ସମାଜରେ ସଂସ୍କାର ଆଣିବା ପାଇଁ ନବ ବାବୁ କିଭଳି ଜୀବନର ଶେଷ ସମୟ ପର୍ଯ୍ୟନ୍ତ ପ୍ରୟାସ କରିଥିଲେ ତାହାର ଅବତାରଣା କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ,ତାମଡା ଅଧ୍ୟକ୍ଷ ମୀନକେତନ ଅମାନ୍ତ,ପୂର୍ବତନ ନଗରପାଳ ଭକ୍ତି ପ୍ରସାଦ ଦାସ ପ୍ରମୁଖ ଯୋଗ ଦେଇ ନବ ବାବୁଙ୍କ ପ୍ରତି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଢେ଼ଙ୍କାନାଳ ସାଂସଦ ମହେଶ ସାହୁ ସ୍ବାଗତ ଭାଷଣ ଦେଇଥିବା ବେଳେ ସଭାପତି ତଥା ପୌରାଧ୍ୟକ୍ଷ ଅକ୍ଷୟ ସାମନ୍ତ ଓ ସମ୍ପାଦକ ଦିନେଶ ପ୍ରଧାନ ମଞ୍ଚରେ କାର୍ଯ୍ୟାବଳୀ ସମ୍ପର୍କରେ ଉଲ୍ଲେଖ କରିଥିଲେ।ଅତିଥିମାନେ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ପ୍ରତିଭା ମାନଙ୍କୁ ସମ୍ବର୍ଧିତ କରିଥିଲେ। ସେଲିନା ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସ୍ବେଛାସେବୀ ପର୍ଶୁରାମ ଦାଶ ସହାୟତା କରିଥିଲେ ।ଏହି ସମାରୋହରେ ବହୁ ବୁଦ୍ଧିଜୀବୀ ଏବଂ ସ୍ଥାନୀୟ ବାସିନ୍ଦା ଯୋଗ ଦେଇଥିଲେ ।