ଅନୁଗୁଳ: ଅନୁଗୁଳର ବରିଷ୍ଠ ସାମ୍ବାଦିକ ସୁଧିରେନ୍ଦ୍ର ପରିଜାଙ୍କ ଦ୍ଵିତୀୟ କବିତା ସଂକଳନ “ଗଳି” ସ୍ଥାନୀୟ ମାରୱାଡ଼ି ଯୁବା ମଞ୍ଚ କାର୍ଯ୍ୟାଳୟ ଠାରେ ଉନ୍ମୋଚିତ ହୋଇଯାଇଛି। ସୁଧିରେନ୍ଦ୍ରଙ୍କ ପିତା ବିଜୟ କୁମାର ପରିଜା ପ୍ରଦୀପ ପ୍ରଜ୍ବଳନ କରି ଏହି ବହି ଉନ୍ମୋଚନ ସମାରୋହକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ତଥା ଶିଶୁ ସାହିତ୍ୟିକ ସଂଗ୍ରାମ କେଶରୀ ପୃଷ୍ଟି ଏବଂ ଶିକ୍ଷକ ସଂଗଠକ ସରୋଜ କୁମାର ପାଣଗ୍ରାହୀ ଯୋଗଦେଇ କବିତା ପୁସ୍ତକର ସମୀକ୍ଷା କରିଥିଲେ। ପ୍ରେମ,ପ୍ରତିଶ୍ରୁତି,ପ୍ରତାରଣା,ବିରହ ଓ ଅନ୍ତର୍ଦାହରୁ ସୃଷ୍ଟି ହୋଇଥିବା ଏକ ମଧୁର ହୃଦୟସ୍ପର୍ଶୀ ଅଭିବ୍ୟକ୍ତି ଗଳି ପୁସ୍ତକରେ ସ୍ଥାନ ପାଇଛି ବୋଲି ସମୀକ୍ଷକ ମାନେ ପ୍ରକାଶ କରିଥିଲେ। ପ୍ରେମିକରର ପ୍ରେମିକା ପ୍ରତି ଥିବା ଅନାବିଳ ପ୍ରେମ,ତା ଅନୁପସ୍ଥିତିରେ ପ୍ରେମିକର ଜୀବନ ଯନ୍ତ୍ରଣାକୁ ସ୍ନୃତିର ଫରୁଆରେ ସାଇତି ରଖି କିଭଳି କବିତାର ରୂପ ଦିଆଯାଇଛି। ବିଶେଷକରି କବିତା ଗୁଡ଼ିକର ଆଙ୍ଗିକ ଓ ଆତ୍ମିକ ସୌନ୍ଦର୍ଯ୍ୟବୋଧ ଉପରେ ଦୁଇ ସମୀକ୍ଷକ ଆଲୋଚନା କରିଥିଲେ। କବି ସୁଧିରେନ୍ଦ୍ର କବିତା ଲିଖନର ପୃଷ୍ଠଭୂମି ଓ କାବ୍ୟିକ ଚେତନା ଉପରେ ମତାମତ ରଖିଥିଲେ। ବିଶ୍ବରଂଜନ ପଟ୍ଟନାୟକ lଙ୍କ ସଂଯୋଜନାରେ ଆୟୋଜିତ ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଟ୍ରକ ମାଲିକ ସଂଘ ସଭାପତି ଅମ୍ବିକା ଭଟ୍ଟ, ଆଇନଜୀବୀ ଦୀପକ ପାଣି, ରାଜକିଶୋର ମହାରଣା ସନ୍ତୋଷ ମିଶ୍ର, ରଞ୍ଜିତ ଦାସ, ସତ୍ୟ ସୁନ୍ଦର ଦାସ ପ୍ରମୁଖ ଉନ୍ମୋଚିତ ପୁସ୍ତକ ଉପରେ ଆଲୋଚନା କରିଥିଲେ। ଶେଷରେ ଗଳି ପୁସ୍ତକରୁ ନିର୍ବାଚିତ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା।
ସୁଧିରେନ୍ଦ୍ରଙ୍କ ଗୀତି କବିତା ସଂକଳନ “ଗଳି” ଉନ୍ମୋଚିତ
- Post published:January 29, 2023
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul