ଆଠମଲ୍ଲିକ : ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ସୋମବାର ଚଢ଼ଉ କରାଯାଇଛିl ଚଢ଼ଉ ବେଳେ ୪ କେଜି ଗଞ୍ଜେଇ ଓ ଏକ ମଟର ସାଇକେଲ ଜବତ କରାଯାଇଥିବା ବେଳେ ଜଣଙ୍କୁ ଗିରଫ କରାଯାଇଛି l ସେହିପରି ଆଉ ଜଣଙ୍କ ଠାରୁ ୪.୩୨ ଲିଟର ଭେଜାଲ ବିଦେଶୀ ମଦ ଜବତ କରାଯାଇଥିବା ଜଣାଯାଇଛି l
ସୂଚନା ମୁତାବକ, ଅବକାରୀ ଉପ ଆରକ୍ଷୀ ଧରଣୀଧର ପ୍ରହରାଜଙ୍କ ନେତୃତ୍ୱରେ ଅବକାରୀ ସହକାରୀ ଉପ ଆରକ୍ଷୀ ରମେଶ ଚନ୍ଦ୍ର ବେହେରା, କନେଷ୍ଟବଳ ଅମରଦୀପ କୁଜୁର, ଅଜିତ କୁମାର ଭୋଇ ଓ ଗୌରୀ ଓରାମ କିଆକଟା ଥାନା ବାରେଣୀଛକ ନିକଟରୁ ଛେଣ୍ଡିପଦା ଥାନା ଦହିବରାର ମଧୁସୂଦନ ବେହେରା (୧୯) କୁ ଗିରଫ କରିବା ସହ ତାଙ୍କ ଠାରୁ ୪ କେଜି ଗଞ୍ଜେଇ ଜବତ କରିଥିଲେ l ଏଥିସହ ଗଞ୍ଜେଇ ଚାଲାଣରେ ବ୍ୟବହୃତ ହିରୋ ମଟର ସାଇକେଲ (OR19P1763) କୁ ମଧ୍ୟ ଜବତ କରାଯାଇଛି l
ସେହିପରି ଅବକାରୀ ବିଭାଗ ଆଠମଲ୍ଲିକ ଥାନା ଡୁଡୁମ ଗ୍ରାମର ବାସୁଦେବ ସାହୁଙ୍କ ଠାରୁ ୪.୩୨ ଲିଟର ଭେଜାଲ ବିଦେଶୀ ମଦ ଜବତ କରିଛିl ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି l