ଅନୁଗୁଳ : ଆଜି ବଇଣ୍ଡା କଲ୍ଯାଣ ମଣ୍ଡପରେ ସଭାପତି କ୍ଷୀରେନ୍ଦ୍ର ମୋହନ ଦେହୁରୀଙ୍କ ଅଧ୍ଯକ୍ଷତାରେ ଅସହାୟ ସହାୟତା କମିଟିର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଛି। ଆଗକୁ ଆସୁଥିବା ନୂଆଖାଇ ପର୍ବ ପାଳନ ପାଇଁ ଏଥିରେ ଆଲୋଚନା ହୋଇଥିଲା। ଏହା କୃଷିଭିତ୍ତିକ ପର୍ବ ହୋଇଥିବାରୁ ଅଞ୍ଚଳର ନିଜସ୍ବ ନୂତନ ଜ୍ଞାନକୌଶଳରେ ନିର୍ମିତ କୃଷି ଯନ୍ତ୍ରପାତି ମାଧ୍ଯମରେ ଚାଷକାର୍ଯ୍ଯ କରି ଅଞ୍ଚଳର ଦୃଷ୍ଟାନ୍ତ ହୋଇଥିବା ୩ ଜଣ ଚାଷୀଙ୍କୁ ସମ୍ମାନିତ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଗଲା। ଏହା ବ୍ୟତୀତ ଅଞ୍ଚଳର ୧୦ଟି ବିଦ୍ଯାଳୟରୁ ମନୋନୀତ ହୋଇ ଅନ୍ଯୁନ ୨ ଜଣ ଛାତ୍ରଛାତ୍ରୀ ଆସି ସମ୍ବଲପୁରୀ ନୃତ୍ଯ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ।
ସ୍ଥାନୀୟ ବିଶିଷ୍ଟ ବ୍ଯକ୍ତିଙ୍କ ସମାବେଶରେ ନୂଆଖାଇ ଭେଟଘାଟ ହେବା ସହିତ ନବାନ୍ନ ଭକ୍ଷଣ ପର୍ବ ପାଳନ କରିବାକୁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଗଲା। ସଭାରେ ଜଗବନ୍ଧୁ ମିଶ୍ର, ରମେଶ ଚନ୍ଦ୍ର ମିଶ୍ର, ଘନଶ୍ଯାମ ସାହୁ, ମନୋଜ କୁମାର ମହାପାତ୍ର, ଧୋବେଇ ବେହେରା, ସଚ୍ଚିଦାନନ୍ଦ ସାହୁ, ଶ୍ଯାମଘନ ସ୍ବାଇଁ, ଅରୁଣ କୁମାର ସାହୁ, ଦୀପକ କୁମାର ସାହୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।