ଗୁଣ୍ଠକୁ ୨ ଲକ୍ଷ ଟଙ୍କାରେ ବିକ୍ରି ହେଉଛି ସରକାରୀ ଜମି, ଗାଣ୍ଡୁ ପଡ଼ିଆକୁ ବେଆଇନ ଭାବେ ବିକୁଛନ୍ତି ଦଲାଲ

You are currently viewing ଗୁଣ୍ଠକୁ ୨ ଲକ୍ଷ ଟଙ୍କାରେ ବିକ୍ରି ହେଉଛି ସରକାରୀ ଜମି, ଗାଣ୍ଡୁ ପଡ଼ିଆକୁ ବେଆଇନ ଭାବେ ବିକୁଛନ୍ତି ଦଲାଲ

ଅନୁଗୁଳ: ସରକାରୀ ଜମି ବିକୁଛନ୍ତି ଦଲାଲ। ଅନୁଗୁଳରେ ସମସ୍ତଙ୍କ ଜାଣତରେ ସରକାରୀ ଜମିର ବିକାକିଣା ଚାଲିଥିଲେ ବି ସରକାରୀ ବାବୁ ସାଜିଛନ୍ତି ନିରବଦ୍ରଷ୍ଟା। ଅନୁଗୁଳ ସହର ନିକଟସ୍ଥ କୁମଣ୍ଡ ଅଞ୍ଚଳରେ ଥିବା ଗାଣ୍ଡୁ ପଡିଆରେ ଚାଲିଛି ଏହି ବେଆଇନ ଜମି ବିକ୍ରି। ଏହି ସ୍ଥାନଟି ସମ୍ପୂର୍ଣ୍ଣ ସରକାରୀ ସମ୍ପତ୍ତି ହୋଇଥିବା ବେଳେ କିଛି ଦଲାଲ ଶ୍ରେଣୀର ଲୋକ ଏହାକୁ ବିକ୍ରି କରିବାରେ ଲାଗିଛନ୍ତି। ସରକାରୀ ଜାଗାକୁ ଗୁଣ୍ଠ ୨ଲକ୍ଷରେ ବିକ୍ରି କରି ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଥିବା ବେଳେ ରାଜସ୍ୱ ବିଭାଗ ନିରବ ବସିଛି।
ତେବେ ପୂର୍ବରୁ ବି ଅନେକ ଥର ଏହି ସ୍ଥାନକୁ ଖାଲି କରିବା ପାଇଁ ପ୍ରଶାସନ ଉଦ୍ୟମ କରିଥିଲା। କିନ୍ତୁ ବିଫଳ ହୋଇଥିଲା। ଏହାର ସୁଯୋଗ ନେଇ ସ୍ଥାନୀୟ କିଛି ଦଲାଲ ଶ୍ରେଣୀର ଲୋକ ଏହି ଖାଲି ଜାଗାକୁ ମାଡି ବସିଛନ୍ତି। ପ୍ରଥମେ ଜାଗାକୁ ମାଟି ପକାଇ ଦଖଲ ଦେଖାଇ ପରେ ଝାଟି ମାଟିରୁ ୨ମହଲା କୋଠା ପର୍ଯ୍ୟନ୍ତ ନିର୍ମାଣ ହେଉଛି। ଶ୍ରମିକ ଓ ଯାଯାବର ଶ୍ରେଣୀର ଲୋକଙ୍କୁ ଭୂତେଇ ଛୋଟଛୋଟ କୁଡ଼ିଆ କରାଯାଉଛି। ସେମାନେ ରହଣି ଘର କରିବା ପରେ ତାଙ୍କୁ ସେ ଜାଗାରୁ ଉଠାଇ ଗୁଣ୍ଠ ପିଛା ୨ ଲକ୍ଷ ଲେଖାଏଁ ବିକ୍ରି ଚାଲିଛି।

ସହର ଛାତି ଉପରୁ ମାତ୍ର ୫ ଶହ ମିଟର ଦୂରରେ ଏତେ ବଡ଼ ଜମି ବିକ୍ରି ରାକେଟ ଚାଲିଥିବା ବେଳେ ପ୍ରଶାସନର ନିଘା ନାହିଁ।
ଏନେଇ ବଅଁରପାଳ ତହସିଲଦାର ସୁଶାନ୍ତ ମିଶ୍ରଙ୍କୁ ପଚାରିବାରୁ ସେ କହିଥିଲେ, ଶିଳ୍ପ ଅଞ୍ଚଳ ହୋଇଥିବା କାରଣରୁ ଶ୍ରମିକ ଶ୍ରେଣୀର ଲୋକ ଆସି କୁଡ଼ିଆ କରି ରହୁଛନ୍ତି। ସେମାନେ ଚାଲି ଗଲା ପରେ କିଛି ଲୋକ ଏହାକୁ ମାଡ଼ି ବସିଛନ୍ତି। ଏହା ଉପରେ ପ୍ରଶାସନ ପଦକ୍ଷେପ ନେବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

Share

Leave a Reply