ଅନୁଗୁଳ ଗସ୍ତରେ ରାଜ୍ୟପାଳ ରଘୁବର ଦାସ, ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଛାତ୍ରାବାସକୁ ଦେଲେ ୧ ଲକ୍ଷର ଅନୁଦାନ ରାଶି
ଅନୁଗୁଳ: କାର୍ଯ୍ୟଭାର ଗ୍ରହଣ କରିବା ପରେ ରାଜ୍ୟପାଳ ରଘୁବର ଦାସ ଆଜି ପ୍ରଥମ ଥର ପାଇଁ ଅନୁଗୁଳ ଜିଲ୍ଲା ଗସ୍ତ କରିଛନ୍ତି। ପ୍ରଥମେ ସେ ନାଲ୍କୋ ଗେଷ୍ଟ ହାଉସଠାରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ପରେ ରାଜ୍ୟପାଳ ଜିଲ୍ଲାର ତୁରଙ୍ଗ ଗ୍ରାମର ଆମ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ କରି ଶିଶୁଙ୍କ ସହ ଭାବ ବିନିମୟ କରିଥିଲେ, ସେଠାରେ ସେ କର୍ମଚାରୀମାନଙ୍କୁ ଆନ୍ତରିକତା ସହ ନିଜ କର୍ତ୍ତବ୍ୟ ପାଳନ କରିବାକୁ ପରାମର୍ଶ ଦେଇଥିଲେ। ଏହା ପରେ ଆୟୋଜିତ ଏକ ସଭାରେ ରାଜ୍ୟପାଳ ସ୍ବୟଂସହାୟକ ଗୋଷ୍ଠୀର ସଦସ୍ୟ ଏବଂ ଗ୍ରାମବାସୀଙ୍କ ସହ କଥାବାର୍ତ୍ତା ସମୟରେ ସେମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି। ବିକଶିତ ତଥା ଆତ୍ମନିର୍ଭର ଭାରତ ଅଭିଯାନରେ ମହିଳାଙ୍କ ଅବଦାନ ଏବଂ ଭୂମିକା ଅତୁଳନୀୟ ବୋଲି ଏ ଅବସରରେ ରାଜ୍ୟପାଳ କହିଥିଲେ। ଗ୍ରାମବାସୀଙ୍କ ଦ୍ବାରା ଉଠାଯାଇଥିବା ଅଭିଯୋଗର ସମାଧାନ ପାଇଁ ସେ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ।
ପରେ ଅନୁଗୁଳର ବାଜି ରାଉତ ଛାତ୍ରାବାସ ପରିଦର୍ଶନ କରି ଛାତ୍ରାବାସର ପ୍ରତିଷ୍ଠିତା ତଥା ସ୍ୱାଧୀନତା ସଂଗ୍ରାମୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଏ ଅବସରରେ ଛାତ୍ରାବାସକୁ ୧ ଲକ୍ଷ ଟଙ୍କାର ଅନୁଦାନ ରାଶି ଦେଇଥିଲେ।
ପରେ ଶିକ୍ଷକପଡାଠାରେ ଥିବା ବିଶୁଦ୍ଧ ପାନୀୟଜଳ ପ୍ରକଳ୍ପ ପରିଦର୍ଶନ କରି ରାଜ୍ୟପାଳ ଏହାର କାର୍ଯ୍ୟକାରିତା ସମ୍ପର୍କରେ ଅନୁଧ୍ୟାନ କରିବା ସହ ଜନସାଧାରଣ କିଭଳି ଏହାର ଲାଭ ପାଉଛନ୍ତି ସେ ସମ୍ପର୍କରେ ପଚାରି ବୁଝିଥିଲେ। ଏହା ପରେ ରାଜ୍ୟପାଳ ସ୍ମାର୍ଟ ପାର୍କ ପରିଦର୍ଶନରେ ଯାଇଥିଲେ। ପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କ ଘର ପରିଦର୍ଶନ କରିବା ସହିତ ବାର୍ତ୍ତାଳାପ ମଧ୍ୟ କରିଥିଲେ। ଏହା ପରେ ଉନ୍ନତ ଥଇଥାନ କେନ୍ଦ୍ର (ଏଆରସି)କୁ ପରିଦର୍ଶନ କରିଥିଲେ।
ପରେ ରାଜ୍ୟପାଳ ତାଳଚେର ଅନ୍ତର୍ଗତ କନ୍ଧବେରେଣୀ ଗ୍ରାମର ଗ୍ରାମବାସୀ ଓ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ସହ ବାର୍ତ୍ତାଳାପ କରି ଗ୍ରାମବାସୀଙ୍କ ବିଭିନ୍ନ ଅଭିଯୋଗ ଶୁଣିଥିଲେ। ପରେ କନ୍ଧବେରେଣୀ ସ୍ଥିତ ଆଶ୍ରମ ସ୍କୁଲ ପରିଦର୍ଶନ କରି ରାଜ୍ୟପାଳ ସେଠାରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାକୁ ଅଗ୍ରାଧିକାର ଦେଇ ଜୀବନର ଲକ୍ଷ୍ୟ ହାସଲ କରିବାକୁ ପରାମର୍ଶ ଦେଇଥିଲେ। ଶେଷରେ ଗୋପାଳପ୍ରସାଦସ୍ଥିତ ମା ହିଙ୍ଗୁଳା ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ ରାଜ୍ୟପାଳ।
ରାଜ୍ୟପାଳଙ୍କ ଗସ୍ତ ବେଳେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ହେମନ୍ତ କୁମାର ସିଂହ, ଉପଜିଲ୍ଲାପାଳ ବରତ୍ୟେନ୍ଦୁ ମହାନ୍ତି, ଜିଲ୍ଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପଦ୍ମନାଭ ସାମନ୍ତରାୟଙ୍କ ସମେତ ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।