ଅନୁଗୁଳ: ସରକାରୀ ନିୟମକୁ ଖୁଲାମଖୁଲା ଉଲ୍ଲଂଘନ କରୁଛନ୍ତି ସରକାରୀ ବାବୁ। ଲୁଚାଛପାରେ ନୁହେଁ, ବରଂ ଆଖିରେ ଆଙ୍ଗୁଠି ଗେଞ୍ଜି ଉଡାଉଛନ୍ତି ନିୟମର ଧଜିଆ। ନିଜେ ସରକାରୀ କର୍ମଚାରୀ ନିୟମ ମାନୁନଥିବାରୁ ବିରୋଧ କରିବାକୁ ବି ନାହିଁ କାହାର ଜୁ’। ଏଭଳି ନିୟମ ଉଲ୍ଲଂଘନ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଥିବା ଏନଟିପିସି ସ୍ୱତନ୍ତ୍ର ଭୂ- ଅର୍ଜନ ଅଧିକାରୀଙ୍କ କାର୍ଯ୍ୟାଳୟରେ। ସରକାରୀ ନିୟମ ଅଛି ଯେ ୧୫ ବର୍ଷରୁ ଅଧିକ ଚଳାଚଳ କରିଥିବା ଗାଡ଼ିଗୁଡ଼ିକୁ ସ୍କାର୍ଫ୍ କରାଯିବ। ଏଥିପାଇଁ ୨୦୨୨ ମସିହାରେ ଓଡ଼ିଶା ସରକାର ପ୍ରଣୟନ କରିଥିଲେ ‘ଓଡ଼ିଶା ସ୍କାର୍ଫ୍ ପଲିସି’। କିନ୍ତୁ ପରିତାପର ବିଷୟ ଖୋଦ ଏହି ସରକାରୀ ଦପ୍ତରରେ ଏହି ନିୟମକୁ ଅବମାନନା କରାଯାଉଛି।
ଏଠାରେ ବଡ଼ ବାବୁମାନେ ଏକ ସରକାରୀ ବୋଲେରୋ ଗାଡ଼ି ବ୍ୟବହାର କରୁଛନ୍ତି, ଯାହାର ନମ୍ବର ହେଉଛି ଓଆର୧୯ଜି୧୩୩୧। ପ୍ରାୟ ୧୫ ବର୍ଷରୁ ଅଧିକ ସମୟ ଧରି ଏହି ଗାଡ଼ିଟି ସରକାରୀ ଦପ୍ତରରେ ଲାଗିଛି। ନିୟମ ମୁତାବକ ଏହି ଗାଡ଼ିକୁ ସ୍କାର୍ଫ୍ ଘୋଷିତ କରି କାର୍ଯ୍ୟରୁ ବିରତି ଦେବା କଥା। କିନ୍ତୁ ଏଠି ଉକ୍ତ ଗାଡିକୁ ବ୍ୟବହାର କରାଯାଉଛି। ଫଳରେ ବାୟୁ ପ୍ରଦୂଷଣ ବଢ଼ୁଥିବା ଜଣାଯାଇଛି।
ଏନେଇ ଏନଟିପିସି ସ୍ୱତନ୍ତ୍ର ଭୂ- ଅର୍ଜନ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ ଉଠାଇନଥିଲେ। କାର୍ଯ୍ୟାଳୟକୁ ଯାଇ ଉକ୍ତ ଗାଡ଼ି ବିଷୟରେ ପଚାରିବାରୁ ଉପସ୍ଥିତ ଥିବା କର୍ମଚାରୀ କହିଥିଲେ ଯେ, ଗାଡି ଫାଇଲ ସାର ଆଲମାରୀରେ ରଖିକି ଛୁଟିରେ ଯାଇଛନ୍ତି। ଅନ୍ୟପଟେ ଏନେଇ ଅନୁଗୁଳ ଏମଭିଆଇ ବିଭୁ ନାୟକଙ୍କୁ ପଚାରିବାରୁ ସେ କହିଥିଲେ ଯେ ଉକ୍ତ ଗାଡିଟିର ଅବଧି ୨୦୨୪ ମସିହାରୁ ଶେଷ ହୋଇଛି। ଏପରିକି ଏହି ଗାଡିର ଅନ୍ୟାନ୍ୟ ଆବଶ୍ୟକୀୟ କାଗଜପତ୍ରର ଅବଧି ମଧ୍ୟ ସମାପ୍ତ ହୋଇ ସାରିଛି ବୋଲି କହିଛନ୍ତି। ତେବେ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ଥିବା ବୁଦ୍ଧିଜୀବୀ କହିଛନ୍ତି।