ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ସବ୍ଡିଭିଜର କିଶୋରନଗର ଥାନାର ଏକ ହତ୍ୟା ମାମଲାର ଶୁଣାଣି କରି ବୁଧବାର ଆଠମଲ୍ଲିକ ଅତିରିକ୍ତ ଜିଲା ଦୌରାଜଜ ସଞ୍ଜୀବରଞ୍ଜନ ସାମନ୍ତ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । କିଶୋରନଗର ଥାନା ଅନ୍ତର୍ଗତ ରଣୀଆକଟା ପଞ୍ଚାୟତ ବରପଦର ଗ୍ରାମର ଦୁଖୀଶ୍ୟାମ ବଘାର ୨୦୧୮ ମସିହା ଜୁନ୍ ୧୪ ତାରିଖ ରାତି ନଅଟା ସମୟରେ ଘରକୁ ଫେରି କୌଣସି କାରଣରୁ ତାର ବାପା କରୁଣା ବଘାର ଓ ମା’ ଚମ୍ପା ବଘାରଙ୍କ ସହ ଉଚ୍ଚବାଚ ହୋଇଥିଲା । ଦୁଖୀଶ୍ୟାମ ତାର ସ୍ତ୍ରୀ ଚିନା ବଘାରକୁ ମଧ୍ୟ ସେ ଆକ୍ରମଣ କରିଥିଲା। ଗୋଟିଏ ହାମରରେ ସେ ତାର ବାପା ଓ ମା’କୁ ଆକ୍ରମଣ କରି ହତ୍ୟା କରିଥିଲା । ସ୍ତ୍ରୀ ଚିନା ଅଳ୍ପକେ ବର୍ତ୍ତିଯାଇଥିଲା। ହତ୍ୟାକାଣ୍ଡ ଘଟିବା ପରଦିନ ୧୫ ତାରିଖରେ ସ୍ତ୍ରୀ ଚିନାର ଅଭିଯୋଗ ପାଇ ପୁଲିସ ହତ୍ୟାକାରୀ ଦୁଖୀଶ୍ୟାମ ଗିରଫ କରି କୋର୍ଟ ଚାଲାଣ କରିବା ସହ କିଶୋରନଗର ପୁଲିସ ଏକ ହତ୍ୟା ମାମଲା ରୁଜୁକରିଥିଲା । ମାମଲାଟିର ବୁଧବାର ଅତିରିକ୍ତ ଜିଲା ଦୌରାଜଜ ସଞ୍ଜୀବରଞ୍ଜନ ସାମନ୍ତ ଶୁଣାଣି କରି ହତ୍ୟାକାରୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫୦ ହଜାର ଟଙ୍କା ଜୋରିମାନା କରିଥିବା ଜଣାଯାଇଛି। ଜୋରିମାନା ଅନାଦେୟ ଅଧିକ ଦୁଇବର୍ଷ ଜେଲଦଣ୍ଡ ଭୋଗିବ ବୋଲି ତାଙ୍କ ରାୟ ଶୁଣାଇଥିବା ଜଣାଯାଇଛି । ମାମଲାଟିକୁ ସହକାରୀ ପି.ପି ଅସିତରଞ୍ଜନ ଦେଓ ପରିଚାଳନା କରିଥିଲେ।
ହତ୍ୟାକାରୀ ପୁଅକୁ ଆଜୀବନ କାରାଦଣ୍ଡ
- Post published:January 6, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik
