ଅନୁଗୁଳ: ରାଜ୍ୟରେ ଏବେ ଝାଡା ବାନ୍ତି ଜିଲ୍ଲାରୁ ଜିଲ୍ଲା ଡେଉଁ ଥିବାରୁ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ଖାଦ୍ୟ ନିରାପତ୍ତା ଶାଖା ପକ୍ଷରୁ ଆଜି ବିଭିନ୍ନ ହୋଟେଲ,ଉଠା ଦୋକାନ ଆଦି ଚଢାଉ କରାଯାଇଥିଲା। ଅନୁଗୁଳ ହସ୍ପିଟାଲ ଆଖପାଖ, ନୂଆ ବସ୍ ଷ୍ଟାଣ୍ଡ ତଥା ଅନ୍ୟାନ୍ୟ ଅଞ୍ଚଳରେ ଏହି ଚଢଉ କରାଯାଇ ଦୋକାନୀଙ୍କୁ ବାସୀ ଖାଦ୍ୟ ନବିକିବାକୁ କୁହା ଯାଇଥିଲା। ଏହି ନିର୍ଦ୍ଦେଶକୁ ଅମାନ୍ୟ କଲେ ପରବର୍ତ୍ତୀ ସମୟରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତାଗିଦ୍ କରାଯାଇଥିଲା।
ଚଢାଉ ସମୟରେ ପ୍ରାୟ ୩୦ କେଜି ରନ୍ଧା ଖାଦ୍ୟ ବାସୀ ଥିବାରୁ ନଷ୍ଟ କରାଯାଇଥିଲା। ନୂଆ ବସ୍ ଷ୍ଟାଣ୍ଡର ଏଲିଟ ରେଷ୍ଟୁରାଣ୍ଟ ଏବଂ କେଅନ ଆସିଆନା ହୋଟେଲ୍ ଭଳି ପ୍ରତିଷ୍ଠିତ ହୋଟେଲ ରେ ବାସୀ ଖାଦ୍ୟ ଥିବା ଚଢାଉ ବେଳେ ଦେଖିବାକୁ ମିଳିଥିଲା। ଏଭଳି ପ୍ରତିଷ୍ଠିତ ହୋଟେଲରେ ବାସୀ ଖାଦ୍ୟ ରଖା ଯାଇଥିବା ସ୍ବାସ୍ଥ୍ୟ ଅଧିକାରୀ ମାନଙ୍କୁ ତାଜୁବ କରିଥିଲା। ସେମାନେ ହୋଟେଲ ପରିଚାଳକଙ୍କୁ ଏଥିନେଇ ତାଗିଦ୍ କରିଥିବା ଜଣା ପଡ଼ିଛି। ଚକାଚକ୍ ଦିଶୁଥିବା ହୋଟେଲ ଗୁଡିକରେ ଏଭଳି ଅନିୟମିତତା ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ବାସ୍ଥ୍ୟ ଅଧିକାରୀ ଜଣାଇଛନ୍ତି।ଏହାଛଡା ବିଭିନ୍ନ ଦହିବରା,ଗୁପଚୁପ ତଥା ଉଠା ଖାଦ୍ୟ ଦୋକାନୀଙ୍କୁ ଉପଯୁକ୍ତ ପରିବେଶରେ ଖାଦ୍ୟ ତିଆରି କରିବାକୁ ସଚେତନ କରାଯାଇଥିଲା। ଏହି ଚଢାଉ ଟିମରେ ଖାଦ୍ୟ ନିରାପତ୍ତା ଅଧିକାରୀ ହରପ୍ରିୟା ବେହେରାଙ୍କ ସହ ହେଲ୍ଥ ସୁପରଭାଇଜର ସୁଭିର କୁମାର ବେହେରା ଏବଂ ଏମଟିଏସ ନୀଳାମ୍ବର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।