ହୃଦୟ ବିଦାରକ ଘଟଣା: ଦୁର୍ଘଟଣାରେ ହତବାକ୍ ହୋଇଗଲେ ପାଳଲହଡ଼ାବାସୀ

You are currently viewing ହୃଦୟ ବିଦାରକ ଘଟଣା: ଦୁର୍ଘଟଣାରେ ହତବାକ୍ ହୋଇଗଲେ ପାଳଲହଡ଼ାବାସୀ

ଅନୁଗୁଳ: ତାଳଚେରରେ ସୋମବାର ଏକ ହୃଦୟ ବିଦାରକ ଦୁର୍ଘଟଣା ସମଗ୍ର ଅଞ୍ଚଳବାସୀଙ୍କୁ ମର୍ମାହତ କରିଛି। ଏକ ବାଇକ ଦୁର୍ଘଟଣାରେ ପାଳଲହଡ଼ା ଉପଖଣ୍ଡ ସାମିଆପାଲି ଗ୍ରାମର ୧୦ ବର୍ଷୀୟ ବାଳକ କମଲ ଧିବରଙ୍କର ବାମ ଗୋଡ଼ଟି ଛିଡ଼ି ଯାଇଥିବା ସୂଚନା ମିଳିଛି।

ତାଳଚେର ଥାନାଟାଉନ ଅନ୍ତର୍ଗତ ବହ୍ଲର ଛକ ଠାରେ ଏହି ଦୁର୍ଘଟଣା ଘଟିଥିଲା। ଗୁରୁତର ଆହତ ବାଳକକୁ ତୁରନ୍ତ ମଣ୍ଡାପାଳ ଡାକ୍ତରଖାନାକୁ ଅଣାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ତେବେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ତୁରନ୍ତ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ଯେ, ତାଳଚେରର ୧୪୯ ନମ୍ବର ଜାତୀୟ ରାଜପଥ (ତାଳବେଡ଼ା ଠାରୁ ବଅଁରପାଳ ପର୍ଯ୍ୟନ୍ତ) ମରଣଯନ୍ତା ସାଜିଛି। ଏହି ରାଜପଥ ଅଣଓସାରିଆ ହୋଇଥିବାବେଳେ ଖାଲଖମା ଓ ବାହାରିଥିବା ଗୋଡ଼ି କାରଣରୁ ଅତ୍ୟନ୍ତ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଫଳରେ ବାଇକ ଆରୋହୀମାନେ ବାରମ୍ବାର ଦୁର୍ଘଟଣାର ଶିକାର ହେଉଛନ୍ତି।

ସବୁଠାରୁ ବଡ଼ କଥା ହେଉଛି, ଏହି ବିପର୍ଯ୍ୟସ୍ତ ରାଜପଥରେ ନେତା, ରାଜନେତା ଏବଂ ପ୍ରଶାସନିକ ଅଧିକାରୀମାନେ ଯାତାୟତ କରୁଥିଲେ ମଧ୍ୟ ଏଥିପ୍ରତି କାହାରି ଦୃଷ୍ଟି ନାହିଁ। ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଉଥିଲେ ମଧ୍ୟ ଏହାର ସୁଧାର ପାଇଁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

Share

Leave a Reply