ଅନୁଗୁଳ: ସ୍ଥାନୀୟ ମାରୱାଡି ପଞ୍ଚାୟତ ଧର୍ମଶାଳାଠାରେ ଆଗାମୀ ‘ହିନ୍ଦୁ ସମ୍ମିଳନୀ’ ନିମନ୍ତେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ଶତାବ୍ଦୀ ବର୍ଷ ପାଳନ ଅବସରରେ ସମଗ୍ର ହିନ୍ଦୁ ସମାଜ ପକ୍ଷରୁ ଏହି ବିଶାଳ ସମ୍ମିଳନୀର ଆୟୋଜନ କରାଯାଉଛି। ଏହି ଅବସରରେ ଆୟୋଜନ ସମିତିର ମୁଖ୍ୟ ସଂଯୋଜକ ଅଶୋକ କୁମାର ଜୈନ, ସହ ସଂଯୋଜକ ଅଭୟ ରାୟ ଓ ଚନ୍ଦ୍ରକାନ୍ତ ଧଳ କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ସୂଚନା ଦେଇଛନ୍ତି।
ଆସନ୍ତା ଫେବ୍ରୁଆରୀ ୫ (ଗୁରୁବାର) ଦିନ ଅନୁଗୁଳ ଦଶହରା ପଡ଼ିଆଠାରେ ସକାଳ ୯ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ସକାଳ ୧୦ଟାରେ ଶ୍ରଦ୍ଧାଳୁ ଓ ସଂକୀର୍ତ୍ତନ ମଣ୍ଡଳୀଙ୍କ ଦ୍ଵାରା ନଗର ପରିକ୍ରମା କରାଯିବ। ପରେ ଶାନ୍ତି ଯଜ୍ଞ, ଗୋମାତା ପୂଜନ, ଜ୍ଞାନ ଯଜ୍ଞ ଓ ଅନ୍ନ ଯଜ୍ଞ ହେବ। ‘ହିନ୍ଦୁତ୍ୱ ହିଁ ରାଷ୍ଟ୍ରୀୟତ୍ୱ’ ଚିନ୍ତନ ଆଧାରରେ ବିଶିଷ୍ଟ ବକ୍ତାଙ୍କ ଦ୍ଵାରା ମାର୍ଗଦର୍ଶନ ଓ ପ୍ରବଚନ ଦେବେ।
ଏହି ସମ୍ମିଳନୀର ମୂଳ ଲକ୍ଷ୍ୟ ହେଉଛି ହିନ୍ଦୁ ସମାଜକୁ ଏକଜୁଟ କରି ଏକ ସଶକ୍ତ ଓ ସମରସତା ପୂର୍ଣ୍ଣ ରାଷ୍ଟ୍ର ନିର୍ମାଣ କରିବା। ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନର ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ଯୋଗଦେବାକୁ ସମିତି ପକ୍ଷରୁ ନିବେଦନ କରାଯାଇଛି।



